Unknown

 

 

 

 

 

 

 

 

 

 

ସି’ ହୋଟେଲ

ଗୁଇନ୍ଦା ସାହେବ୍‌

 

 

 

-ଏକ-

‘‘ସି’ ହୋଟେଲ !’’

 

ବଙ୍ଗୋପସାଗରର ନିର୍ଜନ ଉପକୂଳରେ ଏହି ବିଶାଳ ହୋଟେଲଟି ପ୍ରତ୍ୟେକ ପଥଯାତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରେ । ହୋଟେଲଟି ଆଧୁନିକ ରୁଚିରେ ନିର୍ମିତ ତ୍ରିତଳ ବିଶିଷ୍ଟ; ଦ୍ୱିତୀୟ ଓ ତୃତୀୟ ତାଲା ଗୋଲାକାର । ଏହାର କଡ଼ରେ ପଚିଶିଟି ଲେଖାଏଁ କୋଠରୀ, ମଝିରେ ଷ୍ଟେଜ୍‌ । ସମୟ ସମୟରେ ଏହି ଷ୍ଟେଜ୍‌ରେ ନୃତ୍ୟ ଗୀତର ଆୟୋଜନ ହୋଇଥାଏ । ଦ୍ୱିତୀୟ ତଳର ଷ୍ଟେଜ୍‌ଟି ଦେଶୀୟ ରୀତିରେ ସଜା । ଏଠାରେ ଦେଶୀୟ ନୃତ୍ୟ ଗୀତର ଆୟୋଜନ କରାଯାଏ । ଏହି ତାଲା କୋଠରୀଗୁଡ଼ିକରେ କେହି ଦେଶୀୟ ଭଦ୍ରଲୋକ ରହିବାକୁ ଚାହିଁଲେ ରହନ୍ତି । ଉପର ତାଲାର କୋଠରୀଗୁଡ଼ିକ ଶୀତତାପ ନିୟନ୍ତ୍ରିତ । ଏହା ପ୍ରାୟ ବୈଦେଶିକମାନଙ୍କ ପାଇଁ । ସବା ତଳ ମହଲାରେ ଦୈନିକ ଖାଉଟିମାନଙ୍କ ପାଇଁ ଭୋଜନାଳୟ, ଗୋଟିଏ ପଟକୁ ବବୁର୍ଚ୍ଚି ଓ ଖାନ୍‌ସାମାମାନଙ୍କର ରହିବା ଘର, ଶେଷ ପଟକୁ ରୋଷେଇ ଓ ଭଣ୍ଡାର ଘର ।

 

ହୋଟେଲର ସମ୍ମୁଖ ଭାଗଟି ଅତି ଆଧୁନିକ ଧରଣର ଲତା, ଗୁଳ୍ମକୁଞ୍ଜରେ ସଜ୍ଜିତ । ତଳେ ସୁନ୍ଦର, ସବୁଜ ବିଲାତି ଘାସ । ସେ ପୁଣି ନାନା ଫେସନର କଟା । ତଳେ ସବୁଜ ଘାସ, ତାଉପରକୁ ବିଭିନ୍ନ ରଙ୍ଗର ଗୋଲାପ, ଜିନିଆ ପ୍ରଭୃତି ଫୁଲ ସମୁଦ୍ରର ଧୀର ପବନରେ ଦୋହଲେ । ଖୁବ୍‌ ଭଲ ଦିଶେ ତାହା ଆଖିକୁ । ବଗିଚା ଭିତରେ ସିମେଣ୍ଟ କରା ବେଞ୍ଚ । ମଝିରେ ମଝିରେ ପାଣିକୁଣ୍ଡ, ସେଥିରେ ନାନା ରଙ୍ଗର ଛୋଟ ଛୋଟ ମାଛ ଖେଳି ବୁଲୁଥାନ୍ତି । କୃତ୍ରିମ ଉପାୟରେ ସେଥିରୁ ଜଳ ନିଷ୍କାସନ ଓ ପୂରଣର ବ୍ୟବସ୍ଥା ବି ରହିଛି ।

 

ହୋଟେଲକୁ ରାସ୍ତା ଦୁଇଟି । ଗୋଟିଏ ଭିତରକୁ ଯିବାପାଇଁ ଓ ଆଉ ଗୋଟିଏ ବାହାରକୁ ଆସିବାପାଇଁ । ଏହି ରାସ୍ତା କଡ଼ରେ ଛୋଟ ଛୋଟ ଗୋଲାପ ଗଛ । ମଝିରେ ମଝିରେ କ୍ରୋଟନ୍‌ ଗଛ । ବଗିଚାକୁ ଛାଡ଼ିଦେଲେ ପ୍ରତ୍ୟେକ ମହଲାର ବାରଣ୍ଡାରେ ବଡ଼ ବଡ଼ ଡ୍ରମରେ ନାନାପ୍ରକାର ଫୁଲ ଗଛ ରହିଛି । ଦୂରରୁ ଦେଖିଲେ ଜଣାଯାଏ ସତେ ଯେମିତି ଗୋଟାଏ ଫୁଲଗଛ ଓ ଲତାର ପାହାଡ଼ ଭିତରେ ପ୍ରାସାଦଟି ।

 

ଦିନ ଅପେକ୍ଷା ରାତିରେ ହୋଟେଲର ଶୋଭା ବହୁଗୁଣ ବଢ଼ିଯାଏ । ରଙ୍ଗବେରଙ୍ଗର ଆଲୋକ ଫୁଲଭରା ଗଛଲତା ଉପରେ ପଡ଼ି ଆଖିରେ ମାୟାର ଜାଲ ବିଛାଏ । ତା’ସାଙ୍ଗକୁ ଦେଶୀ, ବିଦେଶୀ, ବାଦ୍ୟଯନ୍ତ୍ରର ରୁଣୁ ଝୁଣୁ ଶବ୍ଦ ଆଉ ସୁନ୍ଦରୀ ବାରାଙ୍ଗନାଙ୍କ ସଙ୍ଗୀତ ଲହରୀ ପ୍ରତ୍ୟେକ ପଥଯାତ୍ରୀକୁ ଆକର୍ଷଣ କରେ । ଏମାନଙ୍କ ରୂପ ଯଜ୍ଞରେ ଆହୁତି ଦେବାପାଇଁ ଦେଶର ଶହ ଶହ ଧନୀ, କୋଟିପତି ଲମ୍ଫ ଦିଅନ୍ତି; ବେଶ୍‌, ସର୍ବନାଶର ବାଟ ଖୋଲିଯାଏ ।

 

ହୋଟେଲ ମାଲିକ ସୁକାନ୍ତ ବାବୁ । ଭଲ ନାଁ’ଟା କହିଲେ ସୁକାନ୍ତ ପଟ୍ଟନାୟକ; ମଫସଲର ଜଣେ ବଡ଼ ଜମିଦାର । ବୟସ ସେମିତି କିଛି ବଳେଇ ଯାଇନି ତାଙ୍କର । ତେତିଶି, ଚଉତିରିଶି ଯାଏ ହେବ; ଦେଖିବାକୁ ଗୋରା, ହୃଷ୍ଟପୁଷ୍ଟ । ଧାରୁଆ ମୁହଁକୁ ମୁଣ୍ଡରେ କୁଞ୍ଚକୁଞ୍ଚିଆ ବାଳ ଓ ନାକତଳକୁ ସରୁ ନିଶହଳକ ବେଶ୍‌ ମାନେ । ସୁକାନ୍ତବାବୁଙ୍କ ଢଙ୍ଗଢାଙ୍ଗ ପୂରା ସାହେବୀ । ସେଥିପାଇଁ ସବୁବେଳେ ସାହେବୀ ପୋଷାକ ଆଉ କାଇଦାରେ ଥାଆନ୍ତି । ମଫସଲ ଜମିଦାରୀ ଖବର ସେ ପ୍ରାୟ ବୁଝନ୍ତି ନାହିଁ । ଗୁମାସ୍ତା, ମୋହରିରମାନେ ସେ କାମ ବୁଝିବାକୁ ବେଶ୍‌ ସକ୍ଷମ; ତେବେ ହାନିଲାଭ ଇତ୍ୟାଦି ଦେଖନ୍ତି ପତିତ ବାବୁ ।

 

ପତିତ ବାବୁ ସି’ ହୋଟେଲର ମ୍ୟାନେଜର ଓ ସୁକାନ୍ତ ବାବୁଙ୍କ ଇଷ୍ଟେଟର ସର୍ବେସର୍ବା ମଧ୍ୟ । ଢଙ୍ଗଢାଙ୍ଗରେ ଦେଖିବାକୁ ଗଲେ ସୁକାନ୍ତ ବାବୁଙ୍କ ଛାଞ୍ଚରେ ସେ ବି ପଡ଼ିଛନ୍ତି । ତଥାପି ଚାକର ଆଉ ମୁନିବଙ୍କ ସମ୍ପର୍କ ଜଗିରଖି ସେ ସବୁବେଳେ ସୁକାନ୍ତ ବାବୁଙ୍କ ସହିତ ଚଳିଥାନ୍ତି ।

 

ପତିତ ବାବୁ ଲୋକଟା ବଡ କଡ଼ା । ସବୁବେଳେ ପ୍ରାୟ ପଞ୍ଚମରେ ଥାଆନ୍ତି । ତଳିଆ କର୍ମଚାରୀ; ଏମିତିକି ହୋଟେଲର କିରାଣୀ କି ଇଷ୍ଟେଟ୍‌ର ଗୁମାସ୍ତା ମୋହରିର ପର୍ଯ୍ୟନ୍ତ କାହାରି କାମରେ ଟିକିଏ କିଛି ଖିଲାପ ଦେଖିଲେ ଚାବୁକ୍‌ ଛଡ଼ା କଥାବାର୍ତ୍ତା ନାହିଁ । ସେଥିପାଇଁ ତାଙ୍କୁ ସମସ୍ତେ ବଡ଼ ଭୟ କରନ୍ତି, ତାଙ୍କ ଆଗରେ ଠିଆହୋଇ କଥା ପର୍ଯ୍ୟନ୍ତ କହିବାକୁ ସାହସ କରନ୍ତି ନାହିଁ । ଇଷ୍ଟେଟ କାମ ଦେଖିବାବୁ ପତିତ ବାବୁ ପ୍ରାୟ କେବେ କେବେ ଯାଆନ୍ତି । ଯାଇ କେତେଦିନ ସେ ସେଠାରେ ରହନ୍ତି । ଏଇ କେତେଦିନ ଗୁମାସ୍ତାମାନଙ୍କ ଦେହରେ ଜୀବନ ନଥାଏ କହିଲେ ଚଳେ । ପତିତ ବାବୁଙ୍କ ଘର କେଉଁଠି ତାହା ଠିକ୍‌ କୁହାଯାଇ ପାରିବ ନାହିଁ, କାରଣ ଏ ବିଷୟରେ କେହି କେବେ ଅନୁସନ୍ଧାନ କରିନାହାନ୍ତି ।

 

ସୁକାନ୍ତ ବାବୁ କେବେହେଲେ ନିଜ ଇଷ୍ଟେଟକୁ ଯାଆନ୍ତି ନାହିଁ । ଖୁବ୍‌ ବଡ଼ ଇଷ୍ଟେଟ୍‌ । ଅସମ୍ଭବ ପ୍ରକାର ଆୟ । ତଥାପି ସୁକାନ୍ତ ବାବୁ ଯେ କାହିଁକି ସେସବୁ ଛାଡ଼ି ଆସିଛନ୍ତି ତାହା କେହି ଠିକ୍‍ କରିପାରନ୍ତି ନାହିଁ । ଅବଶ୍ୟ ମଫସଲରେ ଯେ ତାଙ୍କପରି ସାହେବୀ ଢଙ୍ଗର ଲୋକ ପକ୍ଷରେ ଚଳିବାର ଘୋର ଅସୁବିଧା, ସେ କଥା ଠିକ୍‌ । ତେବେ ଏମିତି ଥରେ ଅଧେ କଣ ଯାଇ ବୁଲିଆସିଲେ ଦୋଷ ହୁଅନ୍ତା ? ତା’ ପରେ ଅନ୍ୟ କଥା ହେଲା ଯେ, ସେ ଏଯାଏଁ ବିବାହ କରିନାହାନ୍ତି । ସୁକାନ୍ତ ବାବୁଙ୍କୁ ଜୁଆଁଇ କରି ପାଇବାପାଇଁ ବହୁତ ବଡ଼ ବଡ଼ ଜମିଦାର ଯଦିଓ ପ୍ରସ୍ତାବ ପଠାଇଥିଲେ, ବାବୁ ସେ ସବୁକୁ ଫେରାଇ ଦେଇଛନ୍ତି । ଖୁବ୍‌ ଧନୀ, ବଡ଼ଲୋକ; ଯାହା ତାଙ୍କର ଖୁସୀ । ସେପରି ଲୋକ ବିବାହ ନକଲେ ଚଳେ ।

 

ସି’ ହୋଟେଲର ଉପର ମହଲାରେ ଗୋଟିଏ ଶୀତ-ତାପ ନିୟନ୍ତ୍ରିତ କୋଠରୀରେ ସୁକାନ୍ତ ବାବୁ ରହନ୍ତି । ତାଙ୍କର ବ୍ୟବହାର ପାଇଁ ଗୋଟିଏ ପାଖ ନିର୍ଦ୍ଦିଷ୍ଟ । ସେପାଖକୁ ଅର୍ଡ଼ରଲି, ଖାନ୍‌ସାମା କେହି ପ୍ରାୟ ଯାଆନ୍ତି ନାହିଁ । କେବଳ ଆବଶ୍ୟକ ହେଲେ ପତିତ ବାବୁ ବେଳେ ବେଳେ ଯାଆନ୍ତି । ଖାଇବା, ପିଇବା କଥା ଖାନ୍‌ସାମା ଆଲିମୁଦ୍ଦିନ୍‌ ବୁଝେ ।

 

ଆଲିମୁଦ୍ଦିନ୍‌ ଲୋକଟା ସୁକାନ୍ତ ବାବୁ ଆଉ ପତିତ ବାବୁ ଦୁହିଁଙ୍କର ଭାରି ପ୍ରିୟ ଆଉ ବିଶ୍ୱାସୀ । ଲୋକଟା ଦେଖିବାକୁ ଅସମ୍ଭବ ପ୍ରକାର ମୋଟା ଆଉ ଡେଙ୍ଗା । ଚକା ମୁହଁ, ଆଖି ଦୁଇଟା ବଡ଼ ଆଉ ଗହୀରିଆ । ନାକ ତଳକୁ ଖୁବ୍‌ ମୋଟା ନିଶ ହଳେ । ହାତ ଗୋଡ଼ ଗୁଡ଼ାକ କୁନ୍ଦିଲା ପରି-। ଦେଖିଲେ ମନରେ ଭୟ ଆସେ । ତାକୁ ହୋଟେଲରେ ସମସ୍ତେ ଭୟ କରନ୍ତି । ସେ ବି ବହୁତ ଦିନର ପୁରୁଣା ନୌକର । ବାବୁମାନଙ୍କର ଢଙ୍ଗଢାଙ୍ଗ ତାକୁ ଭଲରୂପେ ମାଲୁମ । ସୁକାନ୍ତ ବାବୁଙ୍କର ହୋଟେଲ ଆରମ୍ଭ ଦିନୁ ସେ ଅଛି ସେଇଠି । ସୁକାନ୍ତ ବାବୁ ମଣିଷ ଚିହ୍ନି ଜାଣନ୍ତି । ଆଲିମୁଦ୍ଦିନ୍‌, ଏ ସହରକୁ ଆସିଥିଲା ଢାକାରୁ ପଳାତକ ଆଶ୍ରୟପ୍ରାର୍ଥୀ ହିସାବରେ । ସୁକାନ୍ତ ବାବୁ ତାର ପରିଚୟ ପାଇ ତାକୁ ରଖିନେଇଛନ୍ତି । ଏ ହେଲାଣି ପ୍ରାୟ ଛଅ ସାତ ବର୍ଷ ତଳର କଥା । ଆଲିମୁଦ୍ଦିନ୍‌ ଲୋକଟା ବୁଦ୍ଧିମାନ୍‌ । ହୋଟେଲ୍‌ରେ ନାଚ ଗାନର ବ୍ୟବସ୍ଥା ହେଲେ ତାର ଯୋଗାଡ଼ ସେ କରେ । ଖୁବ୍‌ ମାନ୍ୟଗଣ୍ୟ ଅତିଥି କି କେହି ବିଦେଶୀ ଆସିଲେ ତାଙ୍କର ଚର୍ଚ୍ଚା କରିବା ଦାୟିତ୍ୱ ଆଲିମୁଦ୍ଦିନ୍‌ର-

 

ସି’ ହୋଟେଲ । ସକାଳ ଛଅଟାଠାରୁ ରାତି ଦଶଟା ପର୍ଯ୍ୟନ୍ତ ଲୋକ ଗହଳରେ ମୁଖର ହୋଇଉଠେ । ବବୁର୍ଚ୍ଚି, ଖାନ୍‌ସାମା, ଚାକର, ଚପରାସୀଙ୍କ ଧାଁ ଦଉଡ଼ର ସୀମା ରହେ ନାହିଁ । ରାତି ଦଶଟା ପରେ ହୋଟେଲର ବିକ୍ରିବଟା ବନ୍ଦ; ଏହି ସମୟଠାରୁ ଚାଲେ ନାଚ, ଗୀତ, ଗ୍ଳାସ, ବୋତଲର ଠୁଂ ଠାଂ ଶବ୍ଦ ସାଙ୍ଗକୁ ନାଚ । ଗୀତର ଲହର ବେଶ୍‌ତାଳ ଦେଇଉଠେ । ତା’ସାଙ୍ଗକୁ ହା ହା,....ହୋ ହୋ, ମତୁଆଲା ହସ ଭାସିଯାଏ ସମୁଦ୍ରର ଧୀର ପବନରେ । ରାତି ଗଭୀର ହୁଏ । ଧୀରେ ଧୀରେ ଝିମେଇ ଆସେ ହୋଟେଲର ସବୁ କୋଳାହଳ ।

 

-ଦୁଇ-

ସକାଳ ସାଢ଼େ ଆଠଟା ହେବ ।

 

ସୁଦୃଶ୍ୟ ପ୍ଲାଇମାଉଥ କାର୍ ଖଣ୍ଡି ବ୍ରେକ୍‌ କଲା ବିଖ୍ୟାତ ସି’ ହୋଟେଲ ଫାଟକ ସାମ୍‍ନାରେ । ଥରେ ଦୁଇଥର ହର୍ଣ୍ଣ ବଜାଇବା ପରେ ଦରୱାନ୍ ସସଂମ୍ଭ୍ରମେ ଫାଟକ ମେଲା କରିଦେଇ ଆଡ଼େଇ ହୋଇ ଛିଡ଼ାହେଲା । କାର୍‌ ଖଣ୍ଡି ଭିତରକୁ ଯାଇ ଠିକ୍‌ ବାରଣ୍ଡାକୁ ଲାଗି ଠିଆହେଲା । ଷ୍ଟାର୍ଟ ବନ୍ଦ କରି କାର୍‌ ଭିତରୁ ବାହାରି ପଡ଼ିଲେ ସାହେବ ପୋଷାକଧାରୀ ଜଣେ ସୁଦର୍ଶନ ଯୁବକ । ବେଶ୍‌ ଶାନ୍ତ ସୌମ୍ୟ ମୂର୍ତ୍ତି । ବେଶ ପୋଷାକରେ ଆଭିଜାତ୍ୟର ଛଟା ପୂର୍ଣ୍ଣ ମାତ୍ରାରେ ଜଣାଯାଉଥାଏ । ଦେହରେ ମୂଲ୍ୟବାନ୍‌ ପୋଷାକ । ଦେହର ରଙ୍ଗ ସଫେଦ୍‌ ଗୋରା ସାଙ୍ଗକୁ ରଙ୍ଗୀନ ସୁଟ୍‌ ସୁନ୍ଦର ମାନୁଥାଏ । ଚକା ମୁହଁକୁ ନାକତଳେ ପତଳା ନିଶହଳକ ମୁହଁର ଶୋଭା ବଢ଼ାଇ ଦେଇଥାଏ ଦୁଇଗୁଣ ।

 

ହୋଟେଲର ସାମ୍‍ନାପଟ ଲମ୍ବା ଘରଟା ସର୍ବସାଧାରଣଙ୍କ ପାନ, ଭୋଜନ ପାଇଁ । ସେ ହଲ୍‌ର ଗୋଟାଏ କଡ଼କୁ ଅଫିସ । ସାହେବ ପୋଷାକଧାରୀ ଯୁବକ ଜଣକ ଜଣେ ବୟ ହାତରେ ନିଜର ନାମାଙ୍କିତ କାର୍ଡ଼ ଖଣ୍ଡିଏ ଦେଇ ବାରଣ୍ଡାର ଗୋଟିଏ ପାଖକୁ ଛିଡ଼ାହୋଇ ଅପେକ୍ଷା କଲେ ।

 

ସେତେବେଳକୁ ହୋଟେଲ ମ୍ୟାନେଜର ପତିତ ବାବୁ ଅଫିସରେ ବସି ସେଦିନର ଖବରକାଗଜ ଉପରେ ଆଖି ପକାଉଥିଲେ । ଠିକ୍‌ ଏତିକିବେଳେ ବୟ ଜଣକ ସଲାମ୍‌ ଦେଇ କାର୍ଡ଼ଖଣ୍ଡି ଟେବୁଲ ଉପରେ ରଖିଦେଇ ଆଦେଶ ଅପେକ୍ଷାରେ ଠିଆହୋଇ ରହିଲା । ପତିତ ବାବୁ କାର୍ଡ଼ ଖଣ୍ଡି ଟେବୁଲ ଉପରୁ ଉଠାଇନେଇ ଟିକିଏ ଆଖି ବୁଲାଇନେଲେ ତା ଉପରେ । ତା’ପରେ କାର୍ଡ଼ଖଣ୍ଡି ହାତରେ ଧରି ଅନ୍ୟମନସ୍କ ଭାବରେ କ’ଣ ଟିକିଏ ଚିନ୍ତା କଲେ । କୁଟିଳ ହାସ୍ୟରେଖା ଟିକିଏ ଫୁଟିଉଠିଲା ଦୁଇ ଓଠ ମଝିରେ । ତା ସଙ୍ଗେ ସଙ୍ଗେ କପାଳର ରେଖା କେତୋଟି କୁଞ୍ଚିତ ହୋଇଗଲା ସାମାନ୍ୟ ।

 

କାର୍ଡ଼ଖଣ୍ଡି ହାତରେ ଧରି ପରମୁହୂର୍ତ୍ତରେ ଚେୟାର ଛାଡ଼ି ଉଠିଲେ ସେ । ଖୁବ୍‍ ଶୀଘ୍ର ପଦକ୍ଷେପରେ ବାରଣ୍ଡାକୁ ଆସି ଆଗନ୍ତୁକଙ୍କ ନିକଟରେ ଆପଣାର ବିଳମ୍ବଜନିତ ତୃଟି ପାଇଁ ବଡ଼ ବିନୟର ସହିତ କ୍ଷମାପ୍ରାର୍ଥନା କରି କହିଲେ- ‘‘ରତନଗଡ଼ର ରାଜକୁମାରଙ୍କ ପଦରଜ ଯେ ଏଠି ପଡ଼ିବ, ଏକଥା ଆମେ କେତେବେଳେ ହେଲେ ଆଶା କରିନଥିଲୁ । ଯାହାହେଉ; ରାଜକୁମାରଙ୍କ ପରି ଜଣେ ବିଶିଷ୍ଟ ଅତିଥିଙ୍କର ସେବା ଯତ୍‌କିଞ୍ଚିତ୍‌ କରିପାରିଲେ ନିଜକୁ ବଡ଼ ଭାଗ୍ୟବାନ୍‌ ମନେକରିବୁ ।’’

 

ରାଜକୁମାର ହସୁ ହସୁ କହିଲେ- ‘‘କିଛି ନାହିଁ, କିଛି ନାହିଁ; ବରଂ ଆପଣଙ୍କ ସାହଚର୍ଯ୍ୟ ଲାଭ କରିବାପାଇଁ ମୁଁ ଉତ୍ସୁକ । ଯଦିଓ ଆପଣଙ୍କ ସହିତ ବ୍ୟକ୍ତିଗତ ଭାବରେ ମୁଁ ସଂପୃକ୍ତ ବା ପରିଚିତ ନୁହେଁ, ତେବେ ଆପଣଙ୍କ ହୋଟେଲର ସୁଖ୍ୟାତି ମୋତେ ଏଠାକୁ ଟାଣିଆଣିଛି । ଆଚ୍ଛା, ମୁଁ କଣ ଏଠି ପନ୍ଦରଦିନ ଅବସ୍ଥାନ ପାଇଁ ସ୍ଥାନ ପାଇପାରେ ?’’

 

‘‘ନିଶ୍ଚୟ, ନିଶ୍ଚୟ...ବଡ଼ ଭାଗ୍ୟର କଥା ଆମର । ଆପଣଙ୍କ ପରି ବିଶିଷ୍ଟ ଅତିଥି....’’ କୃତକୃତ୍ୟ ହୋଇପଡ଼ିଲେ ପତିତ ବାବୁ, ଅନୁଗ୍ରହପୂର୍ବକ ଅନ୍ତତଃ ଦୁଇମିନିଟ୍‌, ଡ୍ରଇଂ ରୁମ୍‌ରେ.....’’ କଥାଟା ଅସମ୍ପୂର୍ଣ୍ଣ ରଖି ଡ୍ରଇଂ ରୁମ୍‌ ଆଡ଼େ ହାତ ବଢ଼ାଇଲେ ପତିତ ବାବୁ ।

 

ରାଜକୁମାର କାଳ ବିଳମ୍ବ ନକରି ସେଇଆଡ଼କୁ ପାଦ ବଢ଼ାଇଲେ । ଆଗେ ଆଗେ ଚାଲିଲେ ପତିତ ବାବୁ । ଡ୍ରଇଂରୁମ୍‌ର ପରଦା ଆଡ଼େଇ ଧରି ବିନୟର ସହିତ ମୁଣ୍ଡ ନୁଆଇଁ କହିଲେ ପତିତ ବାବୁ- ‘‘ଆସିବା ହେଉନ୍ତୁ ଭିତରକୁ ।

 

ରାଜକୁମାର କୋଠରୀ ଭିତରେ ପହଞ୍ଚି ଖଣ୍ଡିଏ କାଉଚ ଉପରେ ଆଉଜି ବସି କାନ୍ଥରେ ଟଙ୍ଗା ଚିତ୍ରପଟଗୁଡ଼ାକ ଆଡ଼େ ଥରେ ଆଖି ବୁଲାଇ ନେଲେ । ସବୁ ଚିତ୍ରପଟଗୁଡ଼ିକ ନଗ୍ନ ବା ଅର୍ଦ୍ଧ ଉଲଗ୍ନ ତରୁଣୀଙ୍କର । ଦେହର ପ୍ରତି ଅଙ୍ଗେ ଅଙ୍ଗେ ନୃତ୍ୟର ଭଙ୍ଗୀ । କୁମାରଙ୍କର ତରୁଣ ମନ ତରଳି ଉଠୁଥିଲା ଧୀରେ ଧୀରେ । ପତିତ ବାବୁ ତାଙ୍କର ଭାବ ଭଙ୍ଗୀ ଠଉରାଇ ନେଇ କ୍ଷମା ମାଗି କ’ଣ ଗୋଟାଏ କାମର ବାହାନା କରି ସେଠାରୁ ବିଦାୟ ନେଲେ । ରାଜକୁମାର ଏଇ ସୁଯୋଗ ଖୋଜୁଥିଲେ ଯେମିତି । ପତିତ ବାବୁ ଯିବା ସଙ୍ଗେ ସଙ୍ଗେ ସେ କାଉଚ୍‌ ଉପରୁ ଉଠି ଫଟୋଗୁଡ଼ିକ ପାଖକୁ ଯାଇ ସେସବୁକୁ ଭଲଭାବରେ ଲକ୍ଷ୍ୟ କରି ଦେଖିବାକୁ ଲାଗିଲେ ।

 

ଚିତ୍ରପଟଗୁଡ଼ିକ ମଧ୍ୟରୁ ଗୋଟିଏ କେବଳ ତାଙ୍କୁ ବିଶେଷ ଭାବେ ଆକୃଷ୍ଟ କଲା; ସୁନ୍ଦର କାନ୍ତି, ଢଳ ଢଳ ଆଖି ଦୁଇଟି, ସରୁ ଭ୍ରୁ-ରେଖା ଦୁଇଟି ଟାଣି ହୋଇଯାଇଛି କାନମୂଳ ପର୍ଯ୍ୟନ୍ତ । ସୁ-ବିନ୍ୟସ୍ତ ବେଣୀ କାନ୍ଧ ଉପରଦେଇ ଆଗକୁ ଝୁଲିପଡ଼ିଛି । ଫଟୋର ଓଠରେ ଲାଖି ରହିଛି ଦରଫୁଟା ହସ ଟିକକ ।

 

ସ୍ଥାନ, କାଳ, ପାତ୍ର ଭୁଲି ରାଜକୁମାର ସେଇଆକୁହିଁ ଚାହିଁ ରହିଥିଲେ ଏକ ଦୃଷ୍ଟିରେ । ସତେ ଯେମିତି ସେ ଆଜି ନୂଆକରି ପ୍ରକୃତିର କେଉଁ ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ପାଇଛନ୍ତି; ମନ, ପ୍ରାଣ ଦେଇ ଦେଖୁଛନ୍ତି ସେଇଆକୁ ଅପଲକ ଦୃଷ୍ଟିରେ । ‘ସେ ଦମୟନ୍ତୀ ଆଜ୍ଞା’ - ପଛପଟୁ ପତିତ ବାବୁଙ୍କ ସ୍ୱର ଚିତ୍ରପଟ ଉପରୁ ରାଜକୁମାରଙ୍କ ଦୃଷ୍ଟି ଫେରାଇବାକୁ ବାଧ୍ୟ କଲା । ସେ ମୁହଁ ଫେରାଇ ପଛକୁ ଚାହିଁ ଟିକିଏ ହସିଦେଲେ ।

 

‘‘ସେ ଦମୟନ୍ତୀ ଏ ସହରର ବିଶିଷ୍ଟ ନର୍ତ୍ତକୀ, ଆଜ୍ଞା ହେବତ.....’’ ପତିତବାବୁଙ୍କ କଥା ଅଟକି ଗଲା ।

 

‘‘ନିଶ୍ଚୟ, ଆଜି ଆପଣ ତାର ବ୍ୟବସ୍ଥା କରନ୍ତୁ । ଯେତେ ଯାହା ଖର୍ଚ୍ଚ ହେବ, ମୁଁ ପ୍ରସ୍ତୁତ ଅଛି’’ - ଉତ୍ସାହିତ ହୋଇ କହିଲେ ରାଜକୁମାର ।

 

‘‘ଆପଣଙ୍କ ରୁମ୍‌ଟି ପ୍ରସ୍ତୁତ । ଏବେ ଆପଣ ଇଚ୍ଛାକଲେ ବିଶ୍ରାମ କରିପାରନ୍ତି’’ - କହି ପତିତବାବୁ ପର ଆଦେଶ ଅପେକ୍ଷାରେ ଠିଆହୋଇ ରହିଲେ ।

 

‘‘ମୋର ଲଗେଜ ?’’

 

‘‘ମୁଁ କାର୍‌ରୁ ଆଣି ସବୁ ସଜାଡ଼ି ରଖିଦେଇଛି । ଖାଲି ଆପଣଙ୍କ ଦେଖିଲା ପରେ ଆଉ ଯାହା କରାଯିବ’’ -କହିଲେ ପତିତ ବାବୁ । ‘‘ଧନ୍ୟବାଦ୍‌ ! ବାସ୍ତବିକ ଆପଣ ଜଣେ ବହୁଦର୍ଶୀ ଲୋକ’’ - ପ୍ରଖର ଦୃଷ୍ଟିରେ ଚାହିଁ କହିଲେ ରାଜକୁମାର ।

 

ଏଥର ଦୁହେଁ ତଳ ମହଲା ଛାଡ଼ି ଚାଲିଲେ ଉପର ମହଲାକୁ । ରାଜକୁମାରଙ୍କ ପାଇଁ ନିର୍ଦ୍ଦିଷ୍ଟ କୋଠରୀ ସାମ୍‍ନାରେ ଠିଆହୋଇ ଭିତରକୁ ହାତ ଦେଖାଇ ଦେଲେ ପତିତ ବାବୁ ।

 

ରାଜକୁମାର କୋଠରୀ ଭିତରକୁ ପ୍ରବେଶ କରି ଦେଖିଲେ- ବେଶ୍‌ ସୁସଜ୍ଜିତ ପ୍ରକାଣ୍ଡ କୋଠରୀଟିଏ । କୋଠରୀର ଗୋଟାଏ କଡ଼କୁ ତାଙ୍କର ଶୋଇବା ସ୍ଥାନ । ଅପର ପଟକୁ ଡ୍ରେସିଂ ଟେବୁଲଟିଏ । ଟେବୁଲ ଉପରେ ପ୍ରକାଣ୍ଡ ଅଇନା । କୋଠରୀ ଭିତରେ ବିଜୁଳି ଅଲୁଅ, ପଙ୍ଖା, ଟେଲିଫୋନ୍‌ ରହିଛି । ବାହାରପଟକୁ ବଡ଼ ବଡ଼ ଝରକା ଚାରିଟି, ଝରକାବାଟେ ଚାହିଁଲେ ଦିଶୁଛି ଅନନ୍ତ ବିସ୍ତୃତ ସମୁଦ୍ରର ଜଳରାଶି । ଆଉ ସେଇ ବାଟଦେଇ ବହିଆସୁଛି ବେଶ୍‌ ମନତୃପ୍ତିକର ପବନ, ରାଜକୁମାର ହସି ହସି କହିଲେ- “ବେଶ୍‌ ! ସବୁ ଠିକ୍‌ ବ୍ୟବସ୍ଥା କରିଛନ୍ତି । ଆଉ ଯାହା ଦରକାର ହେବ ମଗାଇନେବି । ଆପଣ ଏବେ ଯାଆନ୍ତୁ । ହଁ, ଟିକିଏ ଅପେକ୍ଷା କରନ୍ତୁ” - କହି ପକେଟରୁ ଚେକ୍‌ ବହିଟା କାଢ଼ି ପାଞ୍ଚଶହ ଟଙ୍କାର ଗୋଟାଏ ଚେକ୍ ଲେଖି ପତିତ ବାବୁଙ୍କ ହାତରେ ଦେଇ କହିଲେ ‘‘ଏଇଟା ରଖନ୍ତୁ । ଆଉ ଅବଶିଷ୍ଟ ବିଲ୍‌ ଦେଲେ.....’’।

 

ପତିତ ବାବୁ କୃତକୃତ୍ୟ ହେଲାପରି ହୋଇ ଦୁଇହାତ ଆଞ୍ଜୁଳିରେ ଚେକ୍‌ ଖଣ୍ଡି ନେଇଗଲେ ରାଜକୁମାରଙ୍କ ହାତରୁ । ଠିକ୍‌ ଚେକ୍‌ ଖଣ୍ଡି ନେବା ମୁହୂର୍ତ୍ତରେ ସର୍ପାହତ ପରି ଚମକି ପଡ଼ିଲେ ସେ । ରାଜକୁମାରଙ୍କ ହାତରେ ଦାଉ ଦାଉ କରୁଥିବା ହୀରାର ମୁଦିଟି ଉପରେ ଆଖି ଦୁଇଟା ତାଙ୍କର ନିବଦ୍ଧ ଥିଲା । ପର ମୁହୂର୍ତ୍ତରେ ନିଜର ମନୋଭାବ ଗୋପନ ରଖି ଚେକ୍‌ ଖଣ୍ଡି ହାତରେ ଧରି ଫେରିଆସିଲେ ସେ ତଳକୁ ।

 

ରାଜକୁମାର ନିଜର ପୋଷକପତ୍ର ବଦଳାବଦଳି କରି ଖଣ୍ଡିଏ ଚେୟାର ଉପରେ ବସି ନୀଳ ସମୁଦ୍ରର ଅନନ୍ତ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲାଗିଲେ ।

 

ଏଣେ ରାଜକୁମାରଙ୍କ ଆଗମନ ସମ୍ବାଦ ହୋଟେଲର ମାଲିକ ସୁକାନ୍ତବାବୁଙ୍କଠାରୁ ଆରମ୍ଭ କରି ବବୁର୍ଚ୍ଚି, ଖାନ୍‌ସମା ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ମନରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଥିଲା । ଏଥିପୂର୍ବରୁ ଯେ ଏପରି ବିଶିଷ୍ଟ ଲୋକଙ୍କ ପଦରଜ ସେଠି ନପଡ଼ିଛି ତାହା ନୁହେଁ, ତଥାପି ପତିତବାବୁଙ୍କର କଡ଼ା ତାଗିଦ, ରାଜକୁମାରଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନହୁଏ । ସେଥିପାଇଁ ଚାକର ବାକର ସମସ୍ତେ ସାବଧାନ ।

 

ସର୍ବୋପରି ଆଜି ନାଚ ହେବ, ନାଚ କରିବେ ପୁଣି ଦମୟନ୍ତୀ ବାଈ । ହୁକୁମ ପାଇବା ପରଠାରୁ କେତେଜଣ ଷ୍ଟେଜ୍‌ ସଜାଇବାରେ ଆଉ ବତୀ ଖଞ୍ଜିବାରେ ବ୍ୟସ୍ତ । ନାଚ ଦେଖିବାକୁ ସହରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ଆସିପାରନ୍ତି । ଏ ଖବର ପାଇ ଚାକରମାନେ ଭାରି ଖୁସି-। ଅବଶ୍ୟ କାମର ଭିଡ଼ ଖୁବ୍ ହେବ । ତେବେ ସମାଗତ ଅତିଥିମାନଙ୍କଠାରୁ ଖୁବ୍‌ ମୋଟା ବିକ୍‌ସିସ୍‌ ତ ମିଳିବ । ଏଇଆ ହେଲା ସେମାନଙ୍କର ବିଶେଷ କାର୍ଯ୍ୟ ତତ୍ପରତାର କାରଣ ।

 

X X X X X X

 

ସେଦିନ ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ସମଗ୍ର ହୋଟେଲଟି ରଙ୍ଗ ବେରଙ୍ଗର ଆଲୋକମାଳାରେ ଉଦ୍ଭାସିତ ହୋଇଉଠିଲା । ସନ୍ଧ୍ୟାର ପ୍ରାୟ ଅଧଘଣ୍ଟାକ ପରେ ନିମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତିମାନେ ଏକ ଏକ କରି ଉପସ୍ଥିତ ହେବାକୁ ଲାଗିଲେ । ପତିତ ବାବୁ ପ୍ରତ୍ୟେକଙ୍କୁ ଅଭ୍ୟର୍ଥନା ଜଣାଇ ରାଜକୁମାରଙ୍କ ସହିତ ପରିଚିତ କରାଇବାରେ ଲାଗିଛନ୍ତି । ରାଜକୁମାର ଦୋ’ମହଲାର ହଲ ଘରେ ବସି ଭଦ୍ରବ୍ୟକ୍ତିମାନଙ୍କ ସହିତ ଆଳାପରେ ବ୍ୟସ୍ତ ।

 

କ୍ରମେ ରାତି ଆଠଟା ହେଲା । ନାଚ ଆରମ୍ଭ ହେବାର ପ୍ରୋଗ୍ରାମ । ବିଶିଷ୍ଟ ନର୍ତ୍ତକୀ ଦମୟନ୍ତୀ ବାଈ ନୃତ୍ୟ ପ୍ରଦର୍ଶନ କରିବେ । କେବଳ ସେଇ ଆକର୍ଷଣ ହିଁ ବହୁ ଦର୍ଶକଙ୍କୁ ଆକର୍ଷିତ କରିପାରିଛି । ସେ ଯାହାହେଉ, କ୍ରମେ ପେଣ୍ଡାଲଟି ପରିପୂର୍ଣ୍ଣ ହୋଇଉଠିଲା । ସମସ୍ତଙ୍କ ଦୃଷ୍ଟି ପରଦା ଉପରେ । କେତେବେଳେ ସେଟା ଉଠିବ । ସେମାନେ ଲାସ୍ୟମୟୀ ଦମୟନ୍ତୀଙ୍କୁ ଦେଖିବାକୁ ପାଇବେ ।

 

ଉପସ୍ଥିତ ବିଶିଷ୍ଟ ଦର୍ଶକମାନଙ୍କୁ ଚକିତ କରି ପର୍ଦ୍ଦା ଉଠିଲା । ସମସ୍ତେ ଦେଖିଲେ ଦମୟନ୍ତୀଙ୍କୁ ନୃତ୍ୟଭଙ୍ଗୀରେ । ତା’ପରେ ଆରମ୍ଭ ହେଲା କରତାଳି । ସମସ୍ତ ହୋଟେଲଟିକୁ ଆନନ୍ଦ ସାଗରରେ ବୁଡ଼ାଇ ଦେଇ ଆରମ୍ଭ ହେଲା ନାଚ । ସୁନ୍ଦରୀ ଦମୟନ୍ତୀଙ୍କର ଅପୂର୍ବ ନୃତ୍ୟଛଟା, ତା’ର ତାଳେ ତାଳେ ଯନ୍ତ୍ରବାଦ୍ୟର ଛନ୍ଦ ମୁଗ୍‌ଧ କରିଥିଲା ପ୍ରତ୍ୟେକ ଦର୍ଶକଙ୍କର ନୟନ ମନକୁ । ସବୁଠାରୁ ବେଶୀ ମୁଗ୍‌ଧ ହେଲାପରି ଜଣାଯାଇଥିଲେ ରତନଗଡ଼ର ରାଜକୁମାର ।

 

ପ୍ରାୟ ଘଣ୍ଟାକ ପରେ ନାଚ ବନ୍ଦ ହେଲା । ତାପରେ ପାନ, ଭୋଜନ । ବିବିଧ ଖାଦ୍ୟ, ପାନୀୟର ବ୍ୟବସ୍ଥା କରାଯାଇଥିଲା ରାଜକୁମାରଙ୍କ ପକ୍ଷରୁ । ଏଣେ ଭଦ୍ରବ୍ୟକ୍ତିମାନଙ୍କର ଚର୍ଚ୍ଚାର ଭାର ପତିତବାବୁଙ୍କ ଉପରେ ଦେଇ ତେଣେ ରାଜକୁମାର ଦମୟନ୍ତୀ ବାଈ ସହିତ ଆଳାପରେ ବ୍ୟସ୍ତ ।

 

ତଳେ ଭୋଜନ ଗୃହରେ ଉତ୍କଟ ପାନୀୟର ପ୍ରଭାବ ପ୍ରତ୍ୟେକ ନିମନ୍ତ୍ରିତ ଅତିଥିଙ୍କଠାରେ ପ୍ରକାଶ ପାଇଲାଣି । କେହି ପାଗଳ ପରି ଅନର୍ଗଳ ବକ୍ତୃତା ଦେବାରେ ଲାଗିଛି ତ, କେହି ହସୁଛି; କେହି ବା ନାଚି ନାଚି ବେଦମ୍‌ ହୋଇପଡ଼ିଲାଣି । ଜଣେ ଦୁଇଜଣ ଟଳମଳ ହୋଇ ବେତାଳିଆ ଅଶ୍ଳୀଳ ସଙ୍ଗୀତର ଲହରୀ ଛୁଟାଇଛନ୍ତି । ହୋଟେଲର ବବୁର୍ଚ୍ଚି, ଖାନ୍‌ସମା ଆଉ ପତିତବାବୁ ଅତିଥିମାନଙ୍କୁ ଜଣ ଜଣ କରି ସେମାନଙ୍କ ସ୍ଥାନରେ ନେଇ ପହଞ୍ଚାଇ ଆସୁଛନ୍ତି ।

 

ରାତି ପ୍ରାୟ ବାରଟା ସୁଦ୍ଧା ସବୁ ଅତିଥିମାନଙ୍କୁ ସେମାନଙ୍କ ସ୍ଥାନରେ ପହଞ୍ଚାଇ ସାରି ପତିତବାବୁ ସ୍ୱସ୍ତିରେ ଟିକିଏ ନିଶ୍ୱାସ ମାରି ରାଜକୁମାରଙ୍କ ଖବର ବୁଝିବା ପାଇଁ ଉପର ମହଲାକୁ ଚାଲିଲେ । ରାଜକୁମାର ସେତେବେଳକୁ ଦମୟନ୍ତୀ ବାଈ ସହିତ ପ୍ରେମାଳାପରେ ମତ୍ତ । ରତନଗଡ଼ ପରି ବିଶାଳ ଷ୍ଟେଟ୍‌ର ରାଜକୁମାର ଯେ ଦମୟନ୍ତୀ ପରି ଜଣେ ସାମାନ୍ୟ ପେଶାଦାରୀ ବେଶ୍ୟାର ଅକ୍ତିଆରରେ ଏତେ ଶୀଘ୍ର ପଡ଼ିଯିବେ, ଏ ବିଷୟରେ ଯଦିଓ ପତିତବାବୁଙ୍କର ସାମାନ୍ୟ ସନ୍ଦେହ ଥିଲା, ତଥାପି ନାରୀର କଟାକ୍ଷ ବାଣ ପ୍ରତି, ବିଶେଷତଃ ଦମୟନ୍ତୀର ନିଖୁଣ ଅଭିନୟ ଉପରେ ତାଙ୍କର ଆସ୍ଥା ଥିଲା ଅସୀମ । ତାଙ୍କର ଔଷଧ କେତେଦୂର କାର୍ଯ୍ୟକାରୀ ହୋଇଛି ସେଇଟା ଜାଣିବା ହିଁ ଥିଲା ତାଙ୍କର ଉପର ମହଲାକୁ ଆସିବାର ପ୍ରଧାନ ଉଦ୍ଦେଶ୍ୟ । ଉପର ମହଲାର ବାରଣ୍ଡାରେ ପହଞ୍ଚିବା ପୂର୍ବରୁ ସେ ନିଜକୁ ଯଥେଷ୍ଟ ସଂଯତ କରି ନେଇଥିଲେ । ଖୁବ୍‌ ଧୀର ପଦକ୍ଷେପରେ ସେ ଉପର ମହଲାର ଗୋଟାଏ ପକ୍‌କା ଖୁଣ୍ଟ ଉହାଡ଼ରେ ଦୁଇଜଣଙ୍କ ଆଳାପ ଶୁଣିବାକୁ କାନ ଡେରିଲେ ।

 

ଅଳ୍ପ ସମୟ ପରେ ମୁଖର ଭାବ ତାଙ୍କର ବଦଳିଗଲା । ବେଶ୍, ଦମୟନ୍ତୀ ନହେଲେ କି କାମ ହୁଏ ? ଆଉ ବିଳମ୍ବ ନିଷ୍ପ୍ରୟୋଜନ ଭାବି ଖୁବ୍‌ ସନ୍ତର୍ପଣରେ କିଛି ବାଟ ପଛକୁ ଫେରିଗଲେ ପୁଣି ସଜୋରେ ପାଦଶବ୍ଦ କରି ଉପରକୁ ଆସିଲେ ।

 

ଆପଣଙ୍କର ରାତ୍ରିଭୋଜନ କଣ ଏଠିକି ପଠାଇ ଦେବି, ନା ଆପଣ ତଳକୁ ଯିବେ କୁମାର ସାହେବ ? - ପଚାରିଦେଇ ଠିଆହୋଇ ରହିଲେ ପତିତବାବୁ ।

 

‘‘ନାଁ, ନାଁ, ଆପଣ ଏଠିକୁ ପଠାଇ ଦିଅନ୍ତୁ । ଦମୟନ୍ତୀ ଦେବୀ ଆଉ ମୁଁ ଏକା ଟେବୁଲରେ ଭୋଜନ କରିବୁ ।’’

 

‘ଅଲ୍‌ ରାଇଟ୍‌’ କହି ପୁଣି ପଛକୁ ଫେରି ଚାଲିଗଲେ ପତିତବାବୁ, ଦେଇଗଲେ ଗୋଟାଏ ଅସ୍ପଷ୍ଟ ଇସାରା ଦମୟନ୍ତୀ ଦେବୀ ଆଡ଼େ । ଆଖିରେ ଆଖିରେ ଉଭୟଙ୍କ ମନୋଭାବ ଉଭୟ ଜାଣିନେଲେ ।

 

-ତିନି-

ରାତି କେତେ ହେବ କେଜାଣି, କୋଠରୀ ଭିତରେ କ’ଣ ଗୋଟାଏ ଶବ୍ଦ ଶୁଣି ହଠାତ୍‌ ନିଦ ଭାଙ୍ଗିଗଲା ରାଜକୁମାରଙ୍କର । ଶବ୍ଦଟା କ’ଣ, କେଉଁଠୁ ଆସିଲା, ତାହା ଅବଶ୍ୟ ପ୍ରଥମେ ସେ ଠିକ୍‌ କରିପାରିଲେ ନାହିଁ । କିନ୍ତୁ ପ୍ରାୟ ମିନିଟିକ ମଧ୍ୟରେ ସେ ଅନୁମାନ କରିନେଲେ, ଯେପରି ସେ ଘରେ କେହି ଜଣେ ଚଲାବୁଲା କରୁଛି । ପ୍ରଥମେ ତାଙ୍କ ମନରେ ଟିକିଏ ସନ୍ଦେହ ବି ହୋଇଥିଲା ଏ ସମ୍ବନ୍ଧରେ । କାରଣ ସେ ଭଲକରି ମନେପକାଇ ଦେଖିଲେ ଯେ- ଶୋଇବା ପୂର୍ବରୁ ଖୁବ୍‌ ଭଲ ଭାବରେ ସେ ଦରଜା ବନ୍ଦ କରିଛନ୍ତି । ତଥାପି କାହାର ଚାଲବୁଲ କରୁଥିବାର ଶବ୍ଦ ନିଃସନ୍ଦେହଭାବରେ ଜାଣିପାରି ସେ ଅନୁସନ୍ଧାନ କଲେ ଯେ, ସେ ଘରେ କେହି ପଶିଛି ନିଶ୍ଚୟ ।

 

କୋଠରୀଟି ଥିଲା ସଂପୂର୍ଣ୍ଣ ଅନ୍ଧକାର । ବାହାରପଟକୁ ଥିବା ଖୋଲା ଝରକାଦେଇ ଆସୁଥିଲା ସମୁଦ୍ରର ଘୁ ଘୁ ଗର୍ଜନ । ହୋଟେଲଟା ଥିଲା ପୂରାପୂରି ନିସ୍ତବ୍ଧ ଆଉ ଅନ୍ଧକାର । ଚାକର, ପୂଝାରୀମାନେ କିଏ କୁଆଡ଼େ ହାଲିଆ ହୋଇ ପଡ଼ିଯାଇଥାନ୍ତି ଦିନସାରା ଖଟି ଖଟି । ରାଜକୁମାର ଏତେ ଭୟ ପାଇଯାଇଥିଲେ ଯେ, କାହାରିକୁ ପାଟିକରି ଡାକିବାକୁ ମଧ୍ୟ ତାଙ୍କର ସାହସ ହେଉନଥିଲା । ଏଣେ ଦୂରରୁ ଶବ୍ଦଟା କ୍ରମେ ପାଖ ହୋଇଆସୁଛି । ଏପରିକି ତାଙ୍କ ବିଛଣା ପାଖରେ ମଧ୍ୟ କେହି ଯେମିତି ବୁଲୁଛି ସେ ଅନୁମାନ କରିନେଲେ ।

 

ଖୁବ୍‌ ଧୀରେ ସେ ବିଛଣାରୁ ଉଠି ବସିଲେ । ତକିଆତଳକୁ ଅଣ୍ଡାଳି ବାଗେଇ ଧରିଲେ ରିଭଲଭରଟି । ‘ବେଶ୍‌ ! ଠିକ୍‌ଅଛି ।’ ତାଙ୍କ ମୁଣ୍ଡର ଉପର ପାଖ କାନ୍ଥରେ ଇଲେକ୍‌ଟ୍ରିକ୍‌ ସୁଇଚ । ଖୁବ୍‌ ଆସ୍ତେ ଆସ୍ତେ ଓହ୍ଲାଇ ଯାଇ ସୁଇଚରେ ହାତ ମାରିଲେ । ଚଟ୍‌ କରି ବିଜୁଳି ଆଲୋକର ପ୍ଳାବନ ଖେଳିଗଲା ଘରସାରା । ସେଇ ଆଲୋକରେ ସେ ଦେଖିଲେ-କୁତ୍ସିତ କଙ୍କାଳ ମୂର୍ତ୍ତିଟାଏ । ଅସ୍ଥିମୟ ଦୀର୍ଘ ହାତଦୁଇଟା ଲମ୍ବି ଆସୁଛି ତାଙ୍କରି ଆଡ଼କୁ । କଙ୍କାଳର ବିକଟାଳ ମୁଖଟାରେ ଗୋଟାଏ ପୈଶାଚିକ ହସ ଲାଗି ରହିଛି । କୋଟରାଗତ ଆଖି ଦୁଇଟା ତାର ଚକ୍‌ ଚକ୍‌ କରି ଜଳିଉଠୁଛି ଯେମିତି ।

 

ଏ ଦୃଶ୍ୟ ସଂପୂର୍ଣ୍ଣ ନୂତନ ଥିଲା ରାଜକୁମାରଙ୍କ ଆଗରେ । ମୁହୂର୍ତ୍ତକ ମଧ୍ୟରେ ସେ ଆପଣାର ସମସ୍ତ ସାହସ ଏପରିକି ଅସ୍ତିତ୍ୱ ପର୍ଯ୍ୟନ୍ତ ଭୁଲିଯାଇଥିଲେ । କଙ୍କାଳଟା ଆଗେଇ ଆସୁଛି ଆସ୍ତେ ଆସ୍ତେ ତାଙ୍କରି ଆଡ଼କୁ । ଓଃ ! ବେକଟା ଚିପି ଦେବାକୁ ଆଉ ଅଳ୍ପ...ଅସ୍ପଷ୍ଟ ଚିତ୍କାରଟାଏ କରି ପାଦେ ପଛକୁ ଘୁଞ୍ଚିଗଲେ ସେ, ପର ମୁହୂର୍ତ୍ତରେ ସାହସ ସଞ୍ଚୟ କରି ରିଭଲଭର ଉଠାଇଲେ କଙ୍କାଳର ମୁଣ୍ଡକୁ ଲକ୍ଷ୍ୟ କରି ।

 

‘ଗୁଡ଼ୁମ୍‌....’ ଭୀଷଣ ଗର୍ଜନ କରି ଝଲକାଏ ଅଗ୍ନି ଉଦ୍‌ଗାର କରିପକାଇଲା ରାଜକୁମାରଙ୍କ ପିସ୍ତଲ । ଧୂଆଁରେ ଛାଇ ହୋଇଗଲା କୋଠରୀଟା । କେଇ ମୁହୂର୍ତ୍ତ ପରେ ଧୂଆଁର ବହଳ ଆସ୍ତରଣ ଟିକେ ପତଳା ହୋଇଗଲାରୁ ସେ ଦେଖିଲେ କଙ୍କାଳ ମୂର୍ତ୍ତିଟା ସେଇପରି ଅଟଳ ରହିଛି, ଆଗ ଅପେକ୍ଷା ଆହୁରି ତେଜରେ ଚକ୍‌ ଚକ୍‌ କରିଉଠୁଛି ଆଖି ଦୁଇଟା ତାର ।

 

ଅବ୍ୟର୍ଥ ଲକ୍ଷ୍ୟ ବିଫଳ ହେବାର ଦେଖି ମନଟା ଦବି ଆସୁଥିଲା ରାଜକୁମାରଙ୍କର । ପୁଣି ଥରେ ରିଭଲଭର ଉଠାଇଲେ ସେ । ‘ଗୁଡ଼ୁମ୍‌’ ...ପୁଣି ଗର୍ଜି ଉଠିଲା ରିଭଲଭର । ଥରେ ନୁହେଁ, ଦୁଇଥର ନୁହେଁ, ଲାଗ୍‌ ଲାଗ୍‌ ପାଞ୍ଚଥର । ଗୁଳି ଶେଷ ହୋଇଛି । ରାଜକୁମାରଙ୍କ ମନରେ ପୁରା ବିଶ୍ୱାସ- କଙ୍କାଳର ଅସ୍ତିତ୍ୱ ଲୋପ ପାଇଥିବ ନିଶ୍ଚୟ ।

 

ଗାଢ଼ କଳା ଧୂଆଁରେ କୁହୁଡ଼ିଆ ଧରିଛି କୋଠରୀଟା । କିଛି ଦିଶୁନାହିଁ । ରାଜକୁମାର ଉତ୍ସୁକ ହୋଇ ଚାହିଁ ରହିଥିଲେ ଆଗକୁ । ଧୂଆଁର କଳା ପରଦା ପାତଳ ହୋଇ କଟି ଯାଉଥିଲା ତାଙ୍କ ଆଖି ଆଗରୁ । ସେଇ ପାତଳ ଧୂଆଁ ଭିତରେ ସେ ଦେଖିପାରିଲେ କଙ୍କାଳର ଅସ୍ପଷ୍ଟ ମୂର୍ତ୍ତି । ସେଟା ପୁଣି ଆଗେଇ ଆସୁଥିଲା ଧୀରେ ଧୀରେ ତାଙ୍କର ଖୁବ୍‌ ନିକଟକୁ । ତାର ଅସ୍ଥିମୟ ଦୀର୍ଘ ହାତର ଆଙ୍ଗୁଳିଗୁଡ଼ା ନାଚି ଉଠୁଥିଲା ଯେପରି ତାଙ୍କର ତଣ୍ଟି ଚିପିଦେବାକୁ ।

 

ଭୟରେ ଛାତିର ସ୍ପନ୍ଦନ ଅସ୍ୱାଭାବିକ ଭାବରେ ବଢ଼ିଉଠିଥିଲା ରାଜକୁମାରଙ୍କର । ନିତାନ୍ତ ଅସହାୟ ଅବସ୍ଥାରେ ଖୁବ୍‌ ଜୋର୍‌ରେ ଚିତ୍କାରଟାଏ କରି ତଳେ ପଡ଼ିଗଲେ ସେ, ସଜ୍ଞାହୀନ ହୋଇ । ସେଇ ମୁହୂର୍ତ୍ତରେ କଙ୍କାଳଟି ଗୋଟାଏ ବିକଟ ହସର ଲହର ଛୁଟାଇ ଦେଲା, କୋଠରୀଟାକୁ ଥରଥର କରି ଥରାଇଦେଇ ।

 

ଘନ ଘନ ପିସ୍ତଲର ଶବ୍ଦ ଶୁଣି ରାଉଣ୍ଡରେ ଥିବା ପୋଲିସ ଘଟଣା କ’ଣ ଜାଣିବା ପାଇଁ ବଡ଼ ଉଦ୍‌ଗ୍ରୀବ ହୋଇଥିଲେ । ବାହାରେ ଘନ ଘନ ହୁଇସିଲ ଦେଇ ସେ ଆଖ ପାଖରୁ ସାହାଯ୍ୟ ଲୋଡ଼ୁଥିବା ସମୟରେ ବିକଟ ହସର ଲହର ତାଙ୍କୁ ଆହୁରି ସନ୍ଦେହରେ ପକାଇଥିଲା ।

 

ଏଣେ ହୋଟେଲ ଭିତରେ ଚାକର ପୂଝାରୀ ଯେତେ ଥିଲେ ସମସ୍ତେ ଘଟଣାଟା କଣ ଘଟୁଛି ଶୁଣି ପାରୁଥିଲେ ସୁଦ୍ଧା ଭୟରେ ଏତେଦୂର କାତର ହୋଇ ଯାଇଥିଲେ ଯେ ବାହାରକୁ ଆସି ଆଲୁଅ ଜଳାଇବା ବା ଘଟଣା ସମ୍ବନ୍ଧରେ ଅନୁସନ୍ଧାନ କରିବାର ସମସ୍ତ ସାହସ ହରାଇଥିଲେ ।

 

ବାହାରେ ରାଉଣ୍ଡ ପୋଲିସର ତତ୍ପରତା, ଭିତରେ ହୋଟେଲ କର୍ମଚାରୀଙ୍କ ତତ୍ପରତା; ଏପରି ପରିସ୍ଥିତିରେ ପ୍ରଥମେ ସାହସର ସହିତ ନିଜ ଶୋଇବା ଘରର ଦରଜା ଖୋଲି ବାହାରକୁ ଆସିଲେ ପତିତବାବୁ । ସେ ତଳ ମହଲାର ଗୋଟିଏ କୋଠରୀରେ ରହନ୍ତି । ପ୍ରଥମେ ବାରଣ୍ଡାର ଲାଇଟ୍‌ ଗୁଡ଼ା ଜାଳିଦେଇ ସେ ଚିତ୍କାର କରିଉଠିଲେ- କଣ ହେଉଛି, କଣ ହେଉଛି ଏସବୁ ? ଆଲିମୁଦ୍ଦିନ୍‌ ! ଆଲିମୁଦ୍ଦିନ୍‌ ! !

 

ପତିତ ବାବୁଙ୍କ ଚିତ୍କାର ଶୁଣି ଯେ ଯେଉଁଠି ଥିଲେ ଦରଜା ଖୋଲି ବାହାରକୁ ଆସିଲେ । ତଳ ମହଲା, ଉପର ମହଲା ସବୁ ଖୋଜାଖୋଜି ହେଲା । କିନ୍ତୁ କେଉଁଠି ହେଲେ କିଛି ସନ୍ଧାନ ମିଳିଲା ନାହିଁ । ପତିତବାବୁଙ୍କର ଏତେବେଳେ ମନେପଡ଼ିଲା ରାଜକୁମାରଙ୍କ କଥା । ତାଙ୍କ ଶୋଇବା ଦରଜାର ଦୁଆରେ ଯାଇ ସେ ହାତ ମାରିଲେ । ନିଃଶବ୍ଦରେ ଖୋଲିଗଲା ଦରଜାଟା । ଭିତରେ ଆଲୋକ ଝଲ୍‌ସିଉଠୁଛି । ଭିତରୁ ଆସୁଛି ପୋଡ଼ା ବାରୁଦର ଗନ୍ଧ । ଚଟାଣରେ ଅଚେତ ହୋଇ ପଡ଼ିରହିଛନ୍ତି ରାଜକୁମାର । ତାଙ୍କଠାରୁ ଖଣ୍ଡେ ଛଡ଼ାରେ ପଡ଼ିଛି ରିଭଲଭରଟା।

 

‘ଇସ୍‌ !’ ବୋଲି ଚିତ୍କାରଟାଏ କରି ଦୁଆରଠାରୁ ଖଣ୍ଡେ ଦୂରଯାଏ ହଟି ଆସିଲେ ସେ । ଦେହଟା ତାଙ୍କର ବରଡ଼ାପତ୍ର ପରି ଥରୁଥାଏ । ତାଙ୍କ ଅବସ୍ଥା ଦେଖି ଜଣେ ଦୁଇଜଣ ଚାକର ଭିତରକୁ ଯାଇ ଖୁବ୍‌ ଭଲ ରକମ ତଲାସି ନେଲେ ଭିତରଟା । ଆଲିମୁଦ୍ଦିନ୍‌ ରାଜକୁମାରଙ୍କର ଖୁବ୍‌ ନିକଟକୁ ଯାଇ ଭଲକରି ଦେଖି ଆସି କହିଲା- ‘ଖୁଣ୍‌ ନୁହେଁ ହଜୁର, ଏ ବେହୋସି’ ।

 

‘ଖୁଣ୍‌ ନୁହେଁ’- ଏକଥା ପଦକ ସମସ୍ତଙ୍କ ମନରେ ଆଶାର ବାରିଧାରା ଢାଳିଦେଲା ଯେପରି । ସମସ୍ତେ ରାଜକୁମାରଙ୍କ ଚାରିପଟେ ଘେରିଯାଇ ବସି ଘଟଣା କଣ ଘଟିଛି ଅନୁସନ୍ଧାନ କରିବାରେ ଲାଗିପଡ଼ିଲେ । ପତିତବାବୁ ମଧ୍ୟ ସେଇ ରୁମ୍‌ରୁ ଟେଲିଫୋନ୍‌ ଯୋଗେ ସମସ୍ତ ଘଟଣା ସଂକ୍ଷେପରେ ଥାନାକୁ ଜଣାଇଦେଲେ ।

 

ଠିକ୍‌ ପନ୍ଦର ମିନିଟ୍‌ ପରେ –

ପୋଲିସ ଭ୍ୟାନ୍‌ ଲାଗିଲା ଫାଟକ ସାମନାରେ । ଗାଡ଼ି ବ୍ରେକ୍‌ କଲା ମାତ୍ରେ ମଚ୍ ମଚ୍ ଜୋତା ଆବାଜ କରି ପନ୍ଦର କୋଡ଼ିଏ ଜଣ ବନ୍ଧୁକଧାରୀ ପୋଲିସ ହୋଟେଲଟିର ଚାରିପଟ ଘେରାଉ କରିନେଲେ । ସେପର୍ଯ୍ୟନ୍ତ ହୋଟେଲର ଦରଜା ଖୋଲିନଥାଏ । ସମସ୍ତେ ଭିତରେ ବ୍ୟସ୍ତ-। ବାହାର ଦରଜା ଖୋଲିଛି ବା କିଏ ? ଇନିସ୍‌ପେକ୍ଟର ମି: ସିହ୍ନା ବହୁତ ଥର କବାଟ ବାଡ଼ିଆବାଡ଼ି କଲାପରେ ଜଣେ ଚାକର ଆସି କବାଟ ଖୋଲିଦେଲା । ଇନିସପେକ୍ଟର ମି: ସିହ୍ନା ଚାକରଟି ପଛେ ପଛେ ଚାଲିଲେ ରାଜକୁମାରଙ୍କ ରୁମ୍‌କୁ । ସେପର୍ଯ୍ୟନ୍ତ ସଂଜ୍ଞା ଆସିନଥାଏ ତାଙ୍କର-। ଡାକ୍ତରଙ୍କ ପାଖକୁ ଫୋନ୍‌ କରି ତାଙ୍କୁ ଡକାଇବାକୁ କହି ମି: ସିହ୍ନା ହୋଟେଲର ପ୍ରତ୍ୟେକ ଅଂଶ ତନ୍ନ ତନ୍ନ କରି ପରୀକ୍ଷା କରୁଥିଲେ ।

ମି: ସିହ୍ନା ଦେଖିଲେ- ତାଙ୍କ ଆସିବା ପୂର୍ବରୁ ହୋଟେଲ ବାହାରକୁ ଥିବା ଦରଜାଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ଖୋଲିନାହିଁ । ରାଜକୁମାରଙ୍କ ଟ୍ରଙ୍କ ବାକ୍‌ସ ପ୍ରଭୃତି ମଧ୍ୟ ଅକ୍ଷତ ଅବସ୍ଥାରେ ଅଛି । ’ତେବେ ରିଭଲଭର ଚଳାଇବାର ଉଦ୍ଦେଶ୍ୟ କ’ଣ ଆଉ ବା ରାଜକୁମାରଙ୍କର ମୂର୍ଚ୍ଛିତ ହୋଇପଡ଼ିବାର କାରଣ କଅଣ ହୋଇପାରେ ?’ - ତାଙ୍କ ମନକୁ ବାରମ୍ବାର ଆଘାତ କରୁଥିଲା ଏଇ କଥାଟି । ଚାକରବାକରଙ୍କୁ ପଚାରିଲେ ମଧ୍ୟ ସନ୍ତୋଷଜନକ ସେମିତି କିଛି ଜଣା ଯାଉ ନାହିଁ । ଅସମ୍ଭବ ଘଟଣା । ମି: ସିହ୍ନା ସ୍ଥିର କଲେ- ‘ରାଜକୁମାରଙ୍କର ସଂଜ୍ଞା ଫେରିଲେ ଘଟଣା କ’ଣ ଜଣାଯାଇପାରେ’ । ପୋଲିସ୍‌ ବାହିନୀକୁ ଖୁବ୍‌ ସତର୍କତାର ସହିତ ପହରା ଦିଆଇ ସେ ଫେରିଆସିଲେ ଥାନାକୁ ।

ସକାଳ ହୋଇ ଆସିଥିଲା ସେତେବେଳକୁ ।

 

-ଚାରି-

ଡାକ୍ତରଙ୍କର ବିଶେଷ ଚେଷ୍ଟା ଫଳରେ ରାଜକୁମାରଙ୍କ ସଂଜ୍ଞା ଫେରିଆସିଥିଲା । ଗୋଟିଏ କାଉଚ ଉପରେ ଅଧାଶୁଆ ଅବସ୍ଥାର ଥାଇ ସେ ବିଖ୍ୟାତ ଡିଟେକ୍‌ଟିଭ ମି: ଚୌଧୁରୀଙ୍କର କେତେକ ପ୍ରଶ୍ନର ଉତ୍ତର ଦେଉଥିଲେ । ସେ କୋଠରୀରେ ଥିଲେ ପତିତବାବୁ, ସୁକାନ୍ତ ବାବୁ, ଆଉ ଇନିସପେକ୍ଟର ମି: ଚୌଧୁରୀଙ୍କ ସହକାରୀ ଶରତ୍‌ ।

 

କଥା ପ୍ରସଙ୍ଗରେ ରାଜକୁମାର କହିଲେ- ଆପଣ ଯାହା କହନ୍ତୁ ପଛେ, ସେଟା ଯେ ଅଶରୀରୀ, ସେ ବିଷୟରେ ମୁଁ ନିଃସନ୍ଦେହ । କାରଣ ଲାଗ୍‌ ଲାଗ୍‌ ଛଅଟା ବୁଲେଟ୍‌ ବ୍ୟର୍ଥ ହେଲା । ମୋର ଲକ୍ଷ୍ୟ ବିଷୟରେ ମୁଁ ନିଶ୍ଚିନ୍ତ । ତା’ପର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ମୁଁ ଭୟରେ ସେତେ କାତର ହୋଇ ପଡ଼ି ନ ଥିଲି ଯାହାଫଳରେ କି ମୋର ଲକ୍ଷ୍ୟ ଭ୍ରଷ୍ଟ ହେବାର ଆଶଙ୍କା ହୁଅନ୍ତା ।

 

ମି: ଚୌଧୁରୀ- ତେବେ ଅଶରୀରୀ ଆପଣଙ୍କୁ ଏପରି ଭୟ ଦେଖାଇବାର ଉଦ୍ଦେଶ୍ୟ କଣ ହୋଇପାରେ ? କିଛି ଜିନିଷପତ୍ର ହରଣଚାଳ ହୋଇନି ତ ବୋଧେ ?

 

ରାଜକୁମାର- ନା, ସେସବୁ ଠିକ୍‌ ଅଛି ।

 

ମି: ଚୌଧୁରୀ- ତେବେ ଅଶରୀରୀର ଆପଣଙ୍କ ଉପରେ ଏତେ କରୁଣା ହେଲା କାହିଁକି-? ଆପଣ ଭଲ କରି ସର୍ଚ୍ଚ କରି ଦେଖିଛନ୍ତି-?

 

ରାଜକୁମାର- ତା ଅବଶ୍ୟ ଦେଖିନାହିଁ ? ତେବେ ବାହାରୁ ତାଲା ଇତ୍ୟାଦିରୁ ଦେଖୁଛି ସେ ସବୁ ଠିକ୍‌ ଅଛି । ମୂଲ୍ୟବାନ୍‌ ଜିନିଷ ମଧ୍ୟରେ ଥିଲା କେବଳ ଏଇ ମୁଦିଟା..... ।

 

କହିବା ସଙ୍ଗେ ସଙ୍ଗେ ଆପଣାର ହାତକୁ ଆଗକୁ ବଢ଼ଇଦେଲେ । ହାତରେ ମୁଦିଟା ନାହିଁ ଦେଖି ଚମକି ପଡ଼ିଲେ ସେ । ‘‘ମୋ ମୁଦି ! ମୋ ହୀରା ମୁଦି, ମୋ ସର୍ବସ୍ୱ ! ସର୍ବସ୍ୱ ଚାଲିଗଲା ମୋର । ସର୍ବସ୍ୱ ଚାଲିଗଲା ମୋର ।’’ - କହୁ କହୁ ପାଗଳଙ୍କ ପରି ହୋଇଉଠିଲେ ରାଜକୁମାର ।

 

ମି: ଚୌଧୁରୀ ହଠାତ୍‌ ଘଟଣାଟା କ’ଣ ଠଉରାଇ ପାରିଲେ ନାହିଁ । କିନ୍ତୁ ଟିକକ ପରେ କଥାଟା ଖୋଲା ଦିଶିଗଲା ଆଖି ଆଗରେ ‘‘ତେବେ ଅଶରୀରୀ କେବଳ ହୀରା ମୁଦିଟା ନେଇଛି’’ - ଏଇଆ ଠିକ୍‌ କରିନେଲେ ମି: ଚୌଧୁରୀ ।

ରତନଗଡ଼ ପରି ବିରାଟ ଷ୍ଟେଟ୍‌ର ରାଜକୁମାରଙ୍କ ପକ୍ଷେ ଗୋଟିଏ ହୀରା ମୁଦି ଅବଶ୍ୟ ଅତି ତୁଚ୍ଛ । କିନ୍ତୁ ରାଜକୁମାରଙ୍କର ଏପରି ବ୍ୟସ୍ତତା ଦେଖି ମି: ଚୌଧୁରୀ ଭାବୁଥିଲେ- ‘ଏହା ଭିତରେ ଆଉ କିଛି ରହସ୍ୟ ଲୁଚି ରହିଚି ନିଶ୍ଚୟ ।’

‘‘ମୋତେ ଦୟା କରନ୍ତୁ ମି: ଚୌଧୁରୀ । ଆପଣ ମୋ ମୁଦି ଆଣିଦେଇ ପାରିବେ କେବଳ । ଆପଣ ଟିକେ ଚେଷ୍ଟା କରନ୍ତୁ । ଆଜୀବନ ରୁଣୀ ରହିବି ମୁଁ ଆପଣଙ୍କ ପାଖରେ’’ - ନିତାନ୍ତ ଅସହାୟ ପିଲାଙ୍କ ପରି ମି: ଚୌଧୁରୀଙ୍କ ହାତ ଧରିପକାଇ କହିଲେ ରାଜକୁମାର ।

‘‘ନିଶ୍ଚୟ ! ଯଥାସାଧ୍ୟ ଚେଷ୍ଟା କରିବି, ତେବେ କିଛି ଗୋପନ ନରଖି ଯଦି ପ୍ରତ୍ୟେକ କଥା ଆପଣ ମୋ ନିକଟରେ ପ୍ରକାଶ କରିବାକୁ ରାଜି ଥା’ନ୍ତି’’ - ଆଶ୍ୱାସନା ଦେଇ କହିଲେ ମି:-ଚୌଧୁରୀ ।

 

ଏପରି କଥାରେ ବଡ଼ ଅଡ଼ୁଆରେ ପଡ଼ିଲେ ରାଜକୁମାର । ପ୍ରତ୍ୟେକ କଥା ସତ ସତ ପ୍ରକାଶ କରିବା ହୁଏତ ପରିସ୍ଥିତି ଦୃଷ୍ଟେ ନିତାନ୍ତ ଜଟିଳ । ତେବେ ଉପାୟ କ’ଣ ? ଏଣେ ହୀରାମୁଦିର ମୋହ । ଅଗତ୍ୟା ସେ କହିଲେ- ‘ହଁ, ଆପଣଙ୍କ କଥାରେ ମୁଁ ରାଜି’ । କୁଟିଳ ହସ ଟିକିଏ ଫୁଟିଉଠିଲା ମି: ଚୌଧୁରୀଙ୍କ ଓଠରେ । ପତିତବାବୁ, ସୁକାନ୍ତବାବୁ, ଆଉ ହୋଟେଲର ପ୍ରତ୍ୟେକ ଚାକର ବାକରଙ୍କ ସହିତ ଏଣୁ ତେଣୁ ବାଜେ କଥାବାର୍ତ୍ତା କରିବାକୁ ଲାଗିଲେ । କଥାବାର୍ତ୍ତାର ଘଟଣା ସହିତ କୌଣସି ସମ୍ପର୍କ ନାହିଁ । ସବୁ ମାମୁଲି ।

 

ମି: ଚୌଧୁରୀଙ୍କର ଏପ୍ରକାର ଅଯଥା ବାକ୍ୟାଳାପରେ ବଡ଼ ଅତିଷ୍ଠ ହୋଇପଡ଼ିଲେଣି ମି: ସିହ୍ନା ଆଉ ଶରତ । ଘଟଣା ସମ୍ବନ୍ଧରେ ପ୍ରଶ୍ନ ନାହିଁ କି ଘଟଣା ସ୍ଥଳ ପରୀକ୍ଷା କରି ଦେଖିବାର ନାହିଁ-। ଖାଲି ଅଯଥା ବାକ୍ୟାଳାପ ।

 

ଏଣେ ପତିତବାବୁ ମନେ ମନେ ଭାବୁଥାନ୍ତି- ‘ଏଇ ତାହେଲେ ବିଖ୍ୟାତ ଡିଟେକ୍‌ଟିଭ ମି: ଚୌଧୁରୀଙ୍କ ସୁକ୍ଷ୍ମ ତଦନ୍ତ ! ଏତ ଅଯଥା ବାକ୍ୟାଳାପରେ ସମୟ ସାରୁଛନ୍ତି । କଣ କରିବେ ବା ଇଏ-! ଆଚ୍ଛା, ଦେଖାଯାଉ, ରାଜକୁମାରଙ୍କୁ ତ ଭରସା ଦେଇସାରିଛନ୍ତି । ଘଟଣା କଣ ହେଉଛି ବଳେ ଦେଖାଯିବ ।’

 

ହୋଟେଲର ଖାନ୍‌ସମା, ବବୁର୍ଚ୍ଚି, ବୟ ପ୍ରଭୃତି ମଧ୍ୟ ମି: ଚୌଧୁରୀଙ୍କର ଅଯଥା ସମୟ ନଷ୍ଟ ଦେଖି ନିଜ ନିଜ ଭିତରେ ଠାରଠୁର ହେଉଥାନ୍ତି । କେହି କେହି ଦେଖେଇ ଦେଖେଇ ମଧ୍ୟ ପଦେ ଅଧେ ଥଟେଇ କରି କହିଦେଉଥାନ୍ତି । ମି: ଚୌଧୁରୀ ତଦନ୍ତ କରିବାକୁ ଆସୁଛନ୍ତି ଶୁଣି ସେମାନେ ‘କଣ ବୋଲି କଣଟାଏ ହେବ’ ଏ ଆଶଙ୍କା କରିଥିଲେ; ମାତ୍ର ପରିସ୍ଥିତିରେ ସବୁ ଓଲଟା । ସେମାନେ ସ୍ଥୂଳତଃ ଗୋଟାଏ ଧାରଣା କରିନେଇଥିଲେ ଯେ ‘ମି: ଚୌଧୁରୀ ଲୋକଟା ସମ୍ବନ୍ଧରେ ଯେତେ ଖ୍ୟାତି ଶୁଣାଯାଏ, ସେଟା ସେତେ ସତ ନୁହେଁ; ଯାହା କିଛି ବିଶିଷ୍ଟ ଘଟଣା ଜଣାଯାଏ, ସବୁ ଦୈବାତ୍‌ ।’

 

ସମସ୍ତଙ୍କର ମନୋଭାବ କୌଶଳୀ ମି: ଚୌଧୁରୀ ବେଶ୍‌ ହୃଦୟଙ୍ଗମ କରିପାରୁଥିଲେ ବି ସେମାନଙ୍କୁ ଭୁଲ ଧାରଣାରେ ଅଧିକ ଦୂର ଆଗେଇ ଯିବାପାଇଁ ସେ ବେଶୀ ବେଶୀ ଅଯଥା ଗଳ୍ପ ଜମାଇବାରେ ଲାଗିଗଲେ । ସୁକାନ୍ତ ବାବୁ ନିତାନ୍ତ ବିରକ୍ତ ହୋଇ କାମର ବାହାନା କରି ଖସି ଚାଲିଗଲେ ସେଠୁ; ତାଙ୍କ ପଛେ ପଛେ ପତିତ ବାବୁ ମଧ୍ୟ । କୁମାର ସାହେବଙ୍କୁ ବିରକ୍ତ ଲାଗୁଥିଲେ ବି ମି: ଚୌଧୁରୀଙ୍କ ଦକ୍ଷତା ଉପରେ ପୁରା ବିଶ୍ୱାସ ଥିଲା । ତେଣୁ ସେ ମନଯୋଗ ଦେଇ ତାଙ୍କ କଥା ଶୁଣୁଥିଲେ ।

 

ଯାହାହେଉ ମି: ଚୌଧୁରୀ ଆଉ ଅଧିକ ଗୁଡ଼ିଏ ସମୟ ନଷ୍ଟ କରିବାକୁ ନଦେଇ ଉଠିଲେ । କୁମାରସାହେବଙ୍କ ସହିତ କରମର୍ଦ୍ଦନ କରୁ କରୁ କହିଲେ- ‘‘ଆଚ୍ଛା, କୁମାର ସାହେବ ! ମୁଁ ଆପଣଙ୍କୁ ହୁଏତ ଆଜି ସନ୍ଧ୍ୟାକୁ ମୋ ବାସଭବନକୁ ନିମନ୍ତ୍ରଣ କରିପାରେ । କଷ୍ଟ କରି ଯିବାରେ ଆପଣଙ୍କ ଆପତ୍ତି...’’? ‘‘କେବେ ନୁହେଁ ! କେବେ ନୁହେଁ ! ଆପଣ ଡାକି ପାରନ୍ତି ।’’ ହସୁ ହସୁ କହିଲେ ରାଜକୁମାର ।

 

‘ଅଲ୍‌ରାଇଟ୍‌ !’ କହି ଜୋତା ଠକ୍‌ ଠକ୍‌ କରି ତଳ ମହଲାକୁ ଓହ୍ଲାଇ ଆସିଲେ ମି: ଚୌଧୁରୀ, ମି: ସିହ୍ନା, ଆଉ ଶରତ ।

 

ସେମାନେ ଯିବାର ପ୍ରାୟ ପାଞ୍ଚ ମିନିଟ ପରେ ଝଡ଼ପରି ରାଜକୁମାରଙ୍କ କୋଠରୀ ଭିତରକୁ ପଶି ଆସିଲେ ପତିତବାବୁ । ‘‘ଯେମିତି ଜଣାଯାଏ, ଏଇଟା ଗୋଟାଏ ନିହାତି ଓଲୁ । ଏମାନଙ୍କୁ ଖବର ଦେଇ ଆମେ ବିରାଟ ଭୁଲ କରିବସିଛୁ । ଆପଣଙ୍କ ମତ କଣ ?’’ କହିଲେ ସେ ।

 

‘ଠିକ୍‌ ସେଇୟା’- ସଂକ୍ଷେପ ଉତ୍ତରଟିଏ ଦେଇ ଅନ୍ୟ ଦିଗକୁ ମୁହଁ ଫେରାଇ ନେଲେ ରାଜକୁମାର ।

 

-ପାଞ୍ଚ-

ମି: ଚୌଧୁରୀଙ୍କ ବାସଭବନର ଗୋଟିଏ ସୁ-ସଜ୍ଜିତ କୋଠରୀରେ ବସି ଆଳାପରେ ବ୍ୟସ୍ତ ଥିଲେ ମି: ଚୌଧୁରୀ, ଆଉ ତାଙ୍କର ବନ୍ଧୁ ଶରତ । ସି’ ହୋଟେଲକୁ ହୀରାମୁଦି ଚୋରିର ତଦନ୍ତ କରିବାକୁ ଯାଇ ମି: ଚୌଧୁରୀ ଯେ କେତେ ହାଲୁକା ଭାବରେ କଥାବାର୍ତ୍ତା କରି ଫେରିଲେ, ସେ ବିଷୟ ଗୋଟାଏ ଦାଗ ପରି ଲାଗିରହିଥିଲା ତାଙ୍କ ସହକାରୀ ଶରତ ମନରେ । ତଥାପି ମି ଚୌଧୁରୀଙ୍କ ପରି ସୁଚତୁର ଡିଟେକ୍‌ଟିଭ୍‌ଙ୍କର ଏପରି ଅଭିନୟର ଯେ କୌଣସି ଗୂଢ଼ ଲକ୍ଷ୍ୟ ନଥିବ, ଏକଥା ସେ ଭଲଭାବରେ ଧାରଣା କରିପାରୁଥିଲେ ସୁଦ୍ଧା ଉଦ୍ଦେଶ୍ୟ ଅଜ୍ଞାତ ଥିଲା । ସମସ୍ତ ଘଟଣା ପୁଙ୍ଖାନୁପୁଙ୍ଖ ଭାବରେ ଜାଣିବାପାଇଁ ସେ ଏଇ ସମୟ, ଆଉ ସ୍ଥାନଟା ଉପୁଯୁକ୍ତ ଭାବି କହିବାପାଇଁ ପ୍ରସ୍ତୁତ ରହିଲେ । ମାତ୍ର ମି: ଚୌଧୁରୀ କଅଣ ଗୋଟାଏ ପଢ଼ିବାରେ ବ୍ୟସ୍ତ ଏ ସମୟରେ ପଚାରିଦେବାଟା ଠିକ୍‌ ହେବ କି ନାହିଁ, ସେ ବିଷୟରେ ସେ ଦୋଦୋପାଞ୍ଚ ହେଉଥାନ୍ତି । କିନ୍ତୁ ମି: ଚୌଧୁରୀ ତାଙ୍କର ମନଭାବ କଣେଇ କଣେଇ ଠିକ୍‌ ଲକ୍ଷ୍ୟ କରି ନେଲେଣି । ବହିଟା ଧସ୍‌ କରି ଟେବୁଲ ଉପରେ ଥୋଇ ଦେଇ ପ୍ରଥମେ ସେ ଆରମ୍ଭ କଲେ- “କଣ କହିବ ବୋଧହୁଏ ?”

ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ସହକାରୀ ଶରତଙ୍କର । କେଡ଼େ ଅଦ୍ଭୁତ ଲୋକ ଏ ମି: ଚୌଧୁରୀ । ସେ ପ୍ରାୟ ଏପରି ନିର୍ଭୁଲ ଅନୁମାନ କରିଥାନ୍ତି ଶତକଡ଼ା ଅନେଶ୍ୱତ କ୍ଷେତ୍ରରେ । ଖାସ୍‌ ଏଇଥିପାଇଁ ବେଳେ ବେଳେ ତାଙ୍କର ମୁଣ୍ଡ ନୋଇଁଯାଏ ମି: ଚୌଧୁରୀଙ୍କଠାରେ । ଯାହାହେଉ ମନର ଭାବ ମନରେ ଗୋପନ ରଖି ସେ କହିଲେ- ‘‘ହଁ, ସାର୍‌ ! ଆଜି ସକାଳେ ଯେ ଆମେ ସି’ ହୋଟେଲକୁ ତଦନ୍ତ ପାଇଁ ଗଲେ, କିନ୍ତୁ ଆପଣ ସେଠି କି କ୍ଳୁ ପାଇଲେ, କଣ ତଦନ୍ତ କଲେ, କଣ ଦେଖିଲେ, ଆମେ ତ କିଛି ଜାଣିପାରିଲୁ ନାହିଁ । ଖାଲି ବସି ଅଯଥା କାହାଣୀଗୁଡ଼ାଏ ଶୁଣିଲୁ ଯାହା-।’’

 

ଏ କଥା ଶୁଣି ହୋ’ ହୋ’ ହୋଇ ହସିଉଠିଲେ ମି: ଚୌଧୁରୀ । ହସର ବେଗ ବନ୍ଦ ନହେଉଣୁ କହିଲେ- ‘‘ବୁଝିଲ ଶରତ ! ତୁମେ ଏକଥା ମୋତେ ପଚାରିନଥିଲେ ମଧ୍ୟ ମୁଁ ତୁମକୁ କହିଥାନ୍ତି । ମୋର ଅଯଥା ବାକ୍ୟାଳାପରେ ତୁମେ ସମସ୍ତେ ବିରକ୍ତ ହୋଇଥିଲ- ସେ କଥା ମୁଁ ଭଲଭାବରେ ଜାଣେ । ତଥାପି ଜାଣିଶୁଣି ମୁଁ ତାହାହିଁ କରୁଥିଲି- ପ୍ରକୃତ ଦୋଷୀକୁ ମୋର ଅଯୋଗ୍ୟତା ବା ଅକ୍ଷମତା ବିଷୟରେ ଧାରଣା କରିନେବାପାଇଁ ଯାହା ତଦନ୍ତ କରି ଜାଣିବାର କଥା, ମୁଁ ଜାଣିନେଇଛି । ସେମାନଙ୍କୁ ଡାକି ଧମକ ଚମକ ଦେଇ କଥା ବାହାର କରିବା ମୋର ନୀତି ବିରୁଦ୍ଧ । ସେ କାମଦ୍ୱାରା ଆଶାନୁରୂପ ଫଳ ମଧ୍ୟ ମିଳେ ନାହିଁ । ମୁଁ କଣ ତଦନ୍ତ କରିଛି ଶୁଣ । ବୁଝାଇ ଦେଉଛି ।

 

ଦୋଷୀ ବା ହୀରା ମୁଦି ଚୋର ବା ଅଶରୀରୀ, ତାକୁ ତୁମେ ଯାହା କହ ପଛେ ସେ ସେଇ ହୋଟେଲର ଲୋକ । ନହେଲେ ହୋଟେଲର ବାହାରକୁ ଯିବା ଆସିବାର ରାସ୍ତା ସବୁ ବନ୍ଦ ଥାଇ ସେ ଗଲା କୁଆଡ଼େ ? ପବନରେ ମିଳାଇ ଯାଇନଥିବ କେବେ ? ଯଦିବା ଅନ୍ୟ ବାଟେ ପଳାଇବାର ଚେଷ୍ଟା କରିଥାନ୍ତା, ତେବେ ରାଉଣ୍ଡ ପୋଲିସଙ୍କ ଆଖିଆଗରୁ ଅଦୃଶ୍ୟ ହୋଇନଥାନ୍ତା । ରାଉଣ୍ଡ ପୋଲିସଙ୍କ କଥାରୁ ପ୍ରକାଶ, ସେମାନେ ପିସ୍ତଲ ଫାୟାରିଂ ଶେଷ ହେବା ପୂର୍ବରୁ ହୋଟେଲ ଚାରିପଟ ଘେରାଉ କରି ସାରିଥିଲେ । ଆଉ ଯଦିବା ସେ ଅଶରୀରୀ ହୋଇଥାନ୍ତା ତେବେ ମୁଦି ଚୋରୀ କରନ୍ତା କାହିଁକି ? ଅଶରୀରୀ ତ ଆଉ ଚୋରି କରେ ନାହିଁ ? ସବୁଠାରୁ ଅକାଟ୍ୟ ପ୍ରମାଣ ହେଉଛି ଯେ, ଅଶରୀରୀର ଏପରି କ୍ଷମତା ନାହିଁ, ଯାହାଦ୍ୱାରା କି ସେ ରିଭଲଭର ଗୁଳି ବଦଳି କରି ଦେଇ ପାରିବ ?

 

‘ରିଭଲଭର ଗୁଳି ବଦଳି ?’ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଶରତ୍‌ ।

 

‘‘ହଁ, ହଁ, ରିଭଲଭର ଗୁଳି ବଦଳି । ଯେଉଁ ରିଭଲଭରରେ କୁମାର ସାହେବ କଙ୍କାଳ ମୂର୍ତ୍ତିକୁ ଫାୟାର କରିଥିଲେ, ଯେଉଁଟାକୁ କି ଆମେ ପାଇଛେ, ସେଥିରେ ଯେଉଁ ଛଅଟି କ୍ୟାଟ୍ରିଜ୍‌ ଥିଲା, ସେଗୁଡ଼ିକ ବ୍ଳାଙ୍କ୍‌ । ଦୋଷୀ ସେଇ ହୋଟେଲର ଲୋକ । କୁମାର ସାହେବଙ୍କ ରିଭଲଭର ରଖିବା ସ୍ଥାନ ସେ ଜାଣେ । ସେଦିନ ହୋଟେଲରେ ଦମୟନ୍ତୀ ବାଈର ନାଚ ହେଉଥିଲା । କୁମାର ସାହେବ ଯେତେବେଳେ ନାଚ ଦେଖୁଥିଲେ, ସେତିକିବେଳେ ଚୋର ତାଙ୍କ କୋଠରୀରେ ପଶି ପିସ୍ତଲରୁ ଭଲ କ୍ୟାଟ୍ରିଜ ବାହାର କରିନେଇ କେବଳ ବ୍ଲାଙ୍କ କ୍ୟାଟ୍ରିଜ ଛଅଟି ଭରି ଦେଇଥିଲା ଏବଂ କୁମାର ସାହେବ ସେଇୟାକୁ କଙ୍କାଳ ପ୍ରତି ପ୍ରୟୋଗ କରିଥିଲେ, ଯାହାଫଳରେ କଙ୍କାଳର କିଛି କ୍ଷତି ହେଲା ନାହିଁ, କି କୁମାର ସାହେବଙ୍କର କିଛି ଲାଭ ହେଲା ନାହିଁ । ଯଦି ସେ ରିଭଲଭରରେ ଭଲ କ୍ୟାଟ୍ରିଜ ଥାଆନ୍ତା ତେବେ ଛଅଟା ଫାୟାରର ଦାଗ ଅନ୍ତତଃ କାନ୍ଥରେ ଥା’ନ୍ତା । ଏଥିରୁ ଯାହା ସ୍ପଷ୍ଟ ଜଣାଯାଉଚି- ଚୋର କୁମାର ସାହେବଙ୍କୁ ଗୋଟାଏ କଙ୍କାଳର ଛଦ୍ମ ବେଶରେ ଭୟ ଦେଖାଇଚି । କୁମାର ସାହେବ ସଂଜ୍ଞାହୀନ ହୋଇ ପଡ଼ିବା ପରେ ସେ ତାଙ୍କ ହାତରୁ ମୁଦିଟି ବାହାର କରିନେଇଛି ।’’

 

‘ତେବେ ସେ ଲୋକଟା କିଏ ?’ ଉଦ୍‌ଗ୍ରୀବ ହୋଇ ପଚାରିଲେ ଶରତ୍‌ ।

 

‘‘ସେଟା ଅବଶ୍ୟ ବର୍ତ୍ତମାନ ଜଣାଯାଇ ନାହିଁ । ଅନୁମାନ ଉପରେ ନିର୍ଭର କରି କିଛି ଗୋଟାଏ କରି ବସିବା ବିରାଟ ଭୁଲ । ତେବେ ସନ୍ଦେହ ଅନୁସାରେ ସନ୍ଧାନ ନେଲେ ଯଥା ସମୟରେ ସବୁ ଜଣାପଡ଼ିଯିବ । ବର୍ତ୍ତମାନ ଆମର କାମ ହେଲା- କୁମାର ସାହେବଙ୍କଠାରୁ ଜାଣିବା ଦରକାର ଯେ- ମୁଦିରେ କି ରହସ୍ୟ ଅଛି ? ରତନଗଡ଼ ପରି ବିଶାଳ ଷ୍ଟେଟ୍‌ର ରାଜକୁମାରଙ୍କ ପକ୍ଷରେ ଗୋଟାଏ ହୀରାର ମୁଦି ଅତି ସାମାନ୍ୟ । କିନ୍ତୁ ସେଇଟିକୁ ହରାଇ ତାଙ୍କର ବ୍ୟାକୁଳତାରୁ ମୁଁ ଜାଣୁଚି, ସେଟା ତାଙ୍କ ପକ୍ଷରେ ଅତି ମୂଲ୍ୟବାନ୍ । ଯଦି ସେଥିରେ କିଛି ମୂଲ୍ୟବାନ୍‍ ତଥ୍ୟ ଥାଏ, ତେବେ ସେଟା ଆମର ଜାଣିବା ଦରକାର; ତା’ ଛଡ଼ା ସେମାନେ ମଧ୍ୟ । ସେମାନେ ଜାଣିଲେ ସେଥିରୁ ଆଉ କିଛି ଫାଇଦା ଉଠାଇବାର ବ୍ୟବସ୍ଥା କରିବେ । ସେଇ ସୁଯୋଗରେ ଆମେ ଆମ କାମ କରିପାରିବା ।’’

 

“ଉଦ୍ଦେଶ୍ୟ ସାଧନ ପରେ ସେମାନେ ଯଦି ଫେରାର ହୁଅନ୍ତି ?” ପ୍ରଶ୍ନ କଲେ ଶରତ୍‌ ।

 

ହସି ହସି କହିଲେ ମି: ଚୌଧୁରୀ- ‘‘ହଁ ସେମାନେ ହୋଇପାରନ୍ତି, ତେବେ ପୃଥିବୀ ବାହାରକୁ ତ ଯାଇପାରିବେ ନାହିଁ । ତୁମେ ଦେଖିବ, ପ୍ରତି କୋଣ ଅନୁକୋଣ ଅଣ୍ଡାଳି ମୁଁ ସେମାନଙ୍କୁ ବାହାର କରିବି । ସେଥିପାଇଁ ଦରକାର ସାହସ ଆଉ କୌଶଳ । ତୁମେ ଲାଗିପଡ଼, ସଫଳତା ଆମ ହାତରେ ।’’

 

ବାହାରେ କାର୍‌ର ହର୍ଣ୍ଣ ଶୁଣି ମି: ଚୌଧୁରୀ କଥା ବନ୍ଦ କରି କହିଲେ- ‘‘ଏଇ ! କୁମାର ସାହେବ ଆସିଗଲେ ବୋଧହୁଏ । ମୁଁ ତୁମକୁ ଯାହା କହିଥିଲି.....’’

 

‘ସବୁ ଠିକ୍‌ ଅଛି ।’ ସଂକ୍ଷେପରେ ଉତ୍ତର ଦେଇ ମି: ଚୌଧୁରୀ ଆଉ ଶରତ୍ ବାହାରିଆସିଲେ ବାହାରକୁ ।

 

X X X X X X

 

ସୁ-ସଜ୍ଜିତ ଡ୍ରଇଂ ରୁମ୍‌ର ଗୋଟିଏ କକ୍ଷରେ ବସି ଖୁସି ଗଳ୍ପରେ ମାତିଥିଲେ ମି. ଚୌଧୁରୀ, ରତନଗଡ଼ର ରାଜକୁମାର, ଆଉ ଶରତ । କଥା ମଝିରେ ମି. ଚୌଧୁରୀ ପଚାରି ବସିଲେ- ‘‘ କିଛି ମନେ କରିବେ ନାହିଁ କୁମାର ସାହେବ ? ଏଇ ଯେ ଆପଣଙ୍କର ମୁଦିଟା ଚୋରି ଗଲା- ସେଟା ଅନ୍ତତଃ କେତେ ଦାମ୍ ହେବ ?’’

 

ମୁଦିର ପ୍ରସଙ୍ଗ ପଡ଼ିବାର ଦେଖି କୁମାର ସାହେବଙ୍କର ମୁଖର ପୂର୍ବ ସରସତା ଉଭେଇଗଲା କୁଆଡ଼େ । ସେ ନିତାନ୍ତ ଅସହାୟଙ୍କପରି ଦୀର୍ଘ ନିଶ୍ୱାସଟିଏ ଛାଡ଼ି କହିଲେ- ‘ବହୁତ’ ।

 

ମି: ଚୌଧୁରୀ ଏତିକି ଉତ୍ତରରେ ସନ୍ତୁଷ୍ଟ ନରହି କହିଲେ, ‘‘ମୁଁ ସେଦିନ ଆପଣଙ୍କୁ କହିଥିଲି, ମୋ ନିକଟରେ କିଛି କଥା ଗୋପନ ନକରିବାକୁ । ଆପଣ ମଧ୍ୟ ସମ୍ମତି ପ୍ରଦାନ କରିଥିଲେ । କିନ୍ତୁ ଦେଖୁଛି କାର୍ଯ୍ୟରେ ଆପଣ ତାହା କରିପାରୁନାହାନ୍ତି । ଯଦି ଏପରି ଇଚ୍ଛା ଥାଏ, ତେବେ ଆମକୁ ଅଯଥା ବ୍ୟସ୍ତ ନକରାଇ ଆପଣ ମୁଦିର ଆଶା ତ୍ୟାଗ କରନ୍ତୁ, ନଚେତ୍‌ ସମସ୍ତ କଥା ପ୍ରକାଶ କରନ୍ତୁ । ଅବଶ୍ୟ ମୁଁ ଏକଥା ନିର୍ଭର ଭାବରେ ଜବାବ ଦେଇପାରେ ଯେ ଆପଣ ମୋ ନିକଟରେ ଯାହା ପ୍ରକାଶ କରିବେ ତାହା ଆମ ତିନିଜଣଙ୍କ ବ୍ୟତୀତ ଆଉ କାହାରିଠାରେ ପ୍ରକାଶିତ ହେବାର ଆଶଙ୍କା ନାହିଁ । ତେଣୁ ଆପଣଙ୍କର ଆପତ୍ତି ନଥିଲେ.....।’’

 

ରାଜକୁମାର କହିଲେ- ‘‘ଆପଣଙ୍କୁ କହିବାରେ ମୋର ଆପତ୍ତି ଆଦୌ ନାହିଁ, ସେ ମୁଦି ଏକ ବିରାଟ ରହସ୍ୟର ପିଣ୍ଡ । ସେ ମୁଦିଟି ହୀରାର । ରତନଗଡ଼ ରାଜବଂଶର ଅସୀମ ଧନସମ୍ପତ୍ତି ଯେଉଁ ଗନ୍ତାଘରେ ସଞ୍ଚିତ ହୋଇ ରହିଛି, ସେଇ ଗନ୍ତାଘରର ଚାବି ସେ ମୁଦି ଭିତରେ ଅଛି । ମୁଦି ଉପରେ ଯୋଡ଼ା ହୋଇଥିବା ହୀରାଖଣ୍ଡକୁ ଟେକିଦେଲେ ତାର ତଳେ ଖୁବ୍‌ ପତଳା ଧାତବ ଚକ୍ରଟିଏ ଦେଖିବାକୁ ମିଳିବ । ସେଇ ଚକ୍ରଟି ଗନ୍ତାଘର ତାଲା ଉପରେ ରଖିଦେଲେ ତାଲା ଖୋଲିବ, ନଚେତ୍‌ ଅନ୍ୟ କୌଣସି ଉପାୟରେ ନୁହେଁ । ସେ ଧାତବ ଚକ୍ର ଆଉ ଗନ୍ତାଘରର ତାଲା ଆମର ପୂର୍ବପୁରୁଷକୁ କେହି ଜଣେ ଜର୍ମାନ କାରିଗର ଉପହାର ଦେଇ ବିନିମୟରେ ଅଜସ୍ର ଧନ ନେଇଥିଲା ।

 

ବର୍ତ୍ତମାନ ସମସ୍ୟା ହେଉଛି- ସେ ମୁଦି ଅଭାବରେ ଗନ୍ତାଘର ତ ଖୋଲାଯାଇ ପାରିବ ନାହିଁ, ତା ଛଡ଼ା ରାଜା ଯଦି ଏକଥା ଜାଣିପାରନ୍ତି, ତେବେ ଷ୍ଟେଟ୍‌ରେ ମୋର ସ୍ଥାନ ନାହିଁ । ସେଇ ଧାତୁଟା କଣ, କି କି ଜିନିଷର ମିଶ୍ରଣରେ ତାହା ତିୟାରି, ତାହା ଆମ ପକ୍ଷେ ସମ୍ପୂର୍ଣ୍ଣ ଅଜ୍ଞାତ । ବହୁ ବଡ଼ ବଡ଼ କାରିଗରଙ୍କୁ ଲଗାଇ ମଧ୍ୟ ସେ ଧାତୁ ଆବିଷ୍କାର କରିବାକୁ ବା ତାଲା ଖୋଲିବାର ଅନ୍ୟ କିଛି ଉପାୟ ଉଦ୍ଭାବନ କରି ପାରିବାକୁ ସକ୍ଷମ ହୋଇ ପାରିନାହୁଁ । ବର୍ତ୍ତମାନ ମୋର ଅନୁରୋଧ- ଯେତେ ଯାହା ଖର୍ଚ୍ଚ ହେଉ ପଛେ, ହୀରାମୁଦି ଯାଉ ପଛେ, ମୋର ସେ ଧାତବ ଚକ୍ତିଟାହିଁ ଲୋଡ଼ା । ଆପଣ ସେତକ ଉଦ୍ଧାର କରି ମୋତେ ଚିରଋଣୀ କରନ୍ତୁ ।’’

 

ରାଜକୁମାରଙ୍କ କଥାଶୁଣି ଅନ୍ୟମନସ୍କ ଭାବରେ ଆଗକୁ ମୁଣ୍ଡ ଟେକି ଚାହିଁଲେ ମି: ଚୌଧୁରୀ । ପର ମୁହୂର୍ତ୍ତରେ ଚମକି ପଡ଼ିଲେ ସେ । କାନ୍ଥର କାଚ ଝରକା ପଛରୁ ମନୁଷ୍ୟ ଛାୟା ମୂର୍ତ୍ତିଟାଏ ଅପସରି ଯାଉଛି । ହସ ଟିକିଏ ଫୁଟିଉଠିଲା ତାଙ୍କ ମୁହଁରେ । ‘ଠିକ୍‌ଅଛି’- ସଂକ୍ଷେପରେ ଏତକ କହି ଚୁପ୍‌ ହେଲେ ସେ ।

 

ମି: ଚୌଧୁରୀଙ୍କର ହଠାତ୍‌ ଭାବ ପରିବର୍ତ୍ତନର ଅର୍ଥ କେହି ବୁଝିପାରିଲେ ନାହିଁ । ସମସ୍ତେ ନୀରବ, ପ୍ରଥମେ ନୀରବତା ଭଙ୍ଗକରି କଥା ଆରମ୍ଭ କଲେ- “ଆପଣ ତେବେ ରତନଗଡ଼ ଫେରୁନାହାନ୍ତି ବୋଧହୁଏ” ।

 

‘‘ନାଁ, ଯାହା ବା ଫେରନ୍ତି; ବର୍ତ୍ତମାନ ମୁଁ ଫେରିଗଲେ ମୁଦି ଚୋରି ବିଷୟ ପ୍ରକାଶ ପାଇଯିବ । ଫଳରେ ମୋ ଅବସ୍ଥା ନିତାନ୍ତ ଶୋଚନୀୟ ହୋଇପଡ଼ିବ ସେଠି । ଭାବୁଛି, ମୁଦିଟା ବିଷୟରେ କିଛି ଗୋଟାଏ କିନାରା ନହେବାଯାଏ ଏଇଠି ରହିବି ।’’ କହିଲେ ରାଜକୁମାର ।

 

‘କଣ ଏଇ ହୋଟେଲରେ ?’ ପଚାରିଲେ ମି: ଚୌଧୁରୀ ।

 

ରାଜକୁମାର- ତା’ଛଡ଼ା ଉପାୟ କ’ଣ ?

 

ମି: ଚୌଧୁରୀ- ମୁଁ ଭାବୁଛି, ବରଂ ଆପଣ ସ୍ଥାନ ପରିବର୍ତ୍ତନ କରିଦେଲେ ଭଲ ହୁଅନ୍ତା ।

 

ରାଜକୁମାର- ତେବେ ?

 

ମି: ଚୌଧୁରୀ- ମୋର ଏଇ ବାସଭବନରେ ଯଦି ଆପଣଙ୍କର କିଛି ଆପତ୍ତି ନଥାଏ ।

 

ରାଜକୁମାର- ଠିକ୍‌ ଅଛି । ମୋର ଆପତ୍ତି ନାହିଁ ଏ ପ୍ରସ୍ତାବରେ ।

 

ମି: ଚୌଧୁରୀ- ଆପଣ ଏଠାକୁ କାଲି ଆସନ୍ତୁ । କିନ୍ତୁ ସେଟା ଯେତେ ଗୋପନୀୟ ହୋଇପାରେ, ସେତେ ଭଲ ।

 

ଆଳାପ ଶେଷରେ ମି: ଚୌଧୁରୀ, ଶରତ, ଆଉ ରତନଗଡ଼ର ରାଜକୁମାର ତିନିହେଁ ନୈଶ ଭୋଜନ କଲାପରେ ରାଜକୁମାର ବିଦାୟ ନେଇ ଫେରିଲେ ହୋଟେଲକୁ ।

 

ତାଙ୍କର ଫେରିବା ପରେ କିଛିସମୟ ଗୋପନରେ କ’ଣ ପରାମର୍ଶ କଲେ ମି: ଚୌଧୁରୀ ଆଉ ଶରତ । ତାପରେ ଦୁହେଁ ଚାଲିଲେ ଝରକା ନିକଟକୁ, ଯେଉଁଠି ମି: ଚୌଧୁରୀ ଦେଖିଥିଲେ ଛାୟା ମୂର୍ତ୍ତିଟା ଅପସରି ଯାଉଥିଲା । ସ୍ଥାନଟା ଭଲ ଭାବରେ ଦେଖି ମି: ଚୌଧୁରୀ ଆବିଷ୍କାର କଲେ ଯୋଡ଼ାଏ ପାଦଚିହ୍ନ । ସେ ଦୁଇଟି ଥିଲା ଖୁବ୍‌ ବଡ଼ । ଜଣାଯାଏ, ଜଣେ ବେଶ୍‌ ମୋଟା ସୋଟା ଲୋକର ହେବ ବୋଧେ ।

 

ଶକ୍ତିଶାଳୀ ଲେନ୍‌ସ ଥିବା କ୍ୟାମେରା ସାହାଯ୍ୟରେ ପାଦଚିହ୍ନ ଯୋଡ଼ାକର ଫଟୋ ଉଠାଇଦେଇ ଦୁଇଜଣଯାକ ଫେରିଲେ ସେଠାରୁ ।

 

-ଛଅ-

ସକାଳ ସାତଟା ।

 

ବୈଠକଖାନାର ଗୋଟିଏ ଆର୍ମଚେୟାର ଉପରେ ଦରଶୁଆ ହୋଇ ସେଦିନର ଖବରକାଗଜ ଉପରେ ଆଖି ପକାଉଥିଲେ ମି: ଚୌଧୁରୀ । ସବୁଗୁଡ଼ାକ ମାମୁଲି ଖବର । କାଗଜ ଉପରୁ କ୍ରମେ ଅଭିନିବେଶ ଛାଡ଼ି ଆସୁଥିଲା ତାଙ୍କର । ହଠାତ୍‌ ଗୋଟାଏ ଖବର ଉପରେ ନଜର ପଡ଼ିଲା । କାଗଜଟା ସଜାଡ଼ି ଧରି ପଢ଼ିବସିଲେ ସେ । ଖବରଟାର ସାରାଂଶ ହେଉଛି -

 

ପେଶବାରର ବିଖ୍ୟାତ ନରହନ୍ତା ଦସ୍ୟୁ ଆଲିବର୍ଦ୍ଦି ହୋସେନ୍‌ ସେଠାକାର ଧନପତି ଉଜିର ମହମ୍ମଦଙ୍କୁ ହତ୍ୟା କରି ଫେରାର୍‌ ହୋଇଛି । ଦୀର୍ଘଦିନ ଅତୀତ ହୋଇଥିଲେ ସୁଦ୍ଧା ପେଶବାର ପୋଲିସ ଓ ସି. ଆଇ. ଡ଼ି. ବିଭାଗ ଏପର୍ଯ୍ୟନ୍ତ ତାକୁ ଧରିବାକୁ ସକ୍ଷମ ହୋଇନାହାନ୍ତି । ବର୍ତ୍ତମାନ ସେଠାକାର ପୋଲିସ କମିଶନର ଘୋଷଣା କରିଛନ୍ତି ଯେ- କେହି ଯଦି ଆଲିବର୍ଦ୍ଦି ହୋସେନକୁ ଧରିଦେଇପାରନ୍ତି ବା ତାହାର ସନ୍ଧାନ ଦେଇପାରନ୍ତି ତେବେ ସରକାରଙ୍କ ପକ୍ଷରୁ ତାଙ୍କୁ ପାଞ୍ଚ ହଜାର ଟଙ୍କା ପୁରସ୍କାର ଦିଆଯିବ ।

 

ସମ୍ବାଦଟାର ହେଡ଼ିଂ ଉପରେ କାଳି ଦାଗ ଦେଇ ଆଉଥରେ ପଢ଼ି ବସିଲେ ସେ ବିଷୟଟି ।

 

ଟେବୁଲ ଉପରେ ଟେଲିଫୋନ୍‌ ଟ୍ରିଂ ଟ୍ରିଂ ହୋଇ ବାଜିଉଠିଲା । ମି: ଚୌଧୁରୀ ଫୋନ୍‌ ଉଠାଇଲେ....‘ହ୍ୟାଲୋ....!.....

 

ହଁ, ହଁ, ଶରତ । ଖବର କ’ଣ...?

 

କଣ ଆଜି ରମାନା ହେଉଛନ୍ତି.... ?

 

ଷ୍ଟେସନରେ ବ୍ୟବସ୍ଥା କର । ଯେମିତି ସଙ୍ଗେ ସଙ୍ଗେ ଖବର ମିଳେ ।

 

ଆଚ୍ଛା, ଆଚ୍ଛା.....’

 

ଫୋନ୍‌ ରିସିଭରଟା ଥୋଇଦେଇ ମି: ଚୌଧୁରୀ ବାହାରିଆସିଲେ ବାହାରକୁ । ବାହାରେ ଅପେକ୍ଷମାଣ କାର୍‌ରେ ବସି ଷ୍ଟାର୍ଟ ଦେଇ ଛୁଟାଇ ଦେଲେ ଆଇ. ଜି. ସାହେବଙ୍କ ଅଫିସ୍‍ଆଡ଼େ।

 

X X X X X X

 

ରାତି ବାରଟା ।

 

ମେଲ ଟ୍ରେନ୍‌ ଆସିବାକୁ ଆହୁରି ପଇଁଚାଳିଶ ମିନିଟ ଡେରି । ଷ୍ଟେସନ ପ୍ଳାଟଫର୍ମ ଉପରେ ବହୁ ଯାତ୍ରୀଙ୍କ ସମାଗମ । କେହି କେହି ଯାତ୍ରୀ ଆପଣା ଆପଣା ବେଡ଼ିଂ ଉପରେ ମଥାଟି ଦେଇ ଶୋଇଛନ୍ତି, କେହି ବା ଖବରକାଗଜ ପଢ଼ୁଛନ୍ତି । କେହି ବା ଥରକୁ ଥର ନିଜର ୱାଚ୍‌ଟି ଆଡ଼କୁ ଆଖି ପକାଇ ଗାଡ଼ି ଆସିବା ସମ୍ବନ୍ଧରେ ନିଜର ଉଦ୍‌ବିଗ୍ନତା ଦୂର କରୁଛନ୍ତି । ଠିକ୍‌ ଏତିକିବେଳେ କଳାରଙ୍ଗର କାର୍‌ଖଣ୍ଡିଏ ଆସି ପହଞ୍ଚିଲା ଷ୍ଟେସନ ବାହାରେ । ଗାଡ଼ି ଭିତରୁ ବାହାରିପଡ଼ିଲେ ଜଣେ ଶୁକ୍ଳ ଶ୍ମଶ୍ରୁଧାରୀ ବୃଦ୍ଧ ଭଦ୍ରବ୍ୟକ୍ତି । ଆଖିରେ ତାଙ୍କର ନୀଳବର୍ଣ୍ଣର ଚଷମା, ଦେହରେ ମୂଲ୍ୟବାନ ପୋଷାକ । ଭଦ୍ରବ୍ୟକ୍ତିଙ୍କ ପଛେ ପଛେ କାର୍‌ରୁ ଓହ୍ଳାଇଲେ ଜଣେ ସାଧାରଣ ପୋଷାକଧାରୀ ଯୁବକ । ଖୁବ୍‌ ସମ୍ଭବ, ସେ ବୃଦ୍ଧଙ୍କର ଚାକର ହେବେ ପରା । ସାଙ୍ଗରେ ଜିନିଷପତ୍ର ସେମିତି କିଛି ନାହିଁ । କେବଳ ଚାକର ହାତରେ ଗୋଟାଏ ହ୍ୟାଣ୍ଡ ବେଗ୍‌ । ସେ ଦୁହେଁ ଜନସମାଗମ ଭିତରକୁ ନଯାଇ ପ୍ଳାଟଫର୍ମର ଗୋଟାଏ ନିରୋଳା ସ୍ଥାନରେ ଅପେକ୍ଷା କରି ରହିଲେ ଟ୍ରେନକୁ ।

 

ଯଥା ସମୟରେ ସଶବ୍ଦେ ପ୍ଳାଟ୍‌ଫର୍ମରେ ପ୍ରବେଶ କଲା ଟ୍ରେନ୍‌ । ବ୍ରେକ୍‌ ହେବା ମାତ୍ରେ ଭଦ୍ରବ୍ୟକ୍ତି ଆଉ ଯୁବକ- ଦୁଇଜଣ ଗୋଟାଏ ଫାଷ୍ଟକ୍ଳାସ୍‌ କମ୍ପାର୍ଟମେଣ୍ଟ ଭିତରକୁ ଉଠିଗଲେ । ଅଳ୍ପ ସମୟ ପରେ ହ୍ୱିସିଲ୍‌ ଦେଇ ଟ୍ରେନ୍‌ ଛାଡ଼ିଲା ।

 

ଟ୍ରେନ୍‌ ପ୍ରାୟ ପଚିଶ ଗଜ ପର୍ଯ୍ୟନ୍ତ ଗତି କରିଛି, ଜଣେ ଯୁବତୀ ଧଇଁ ସଇଁ ହୋଇ ଦଉଡ଼ି ଦଉଡ଼ି ଭଦ୍ରଲୋକ ଚଢ଼ିଥିବା ଫାଷ୍ଟକ୍ଳାସ କମ୍ପାର୍ଟମେଣ୍ଟର ରେଲିଂ ଧରି ଫୁଟ୍‍ବୋର୍ଡ଼ ଉପରେ ଠିଆ ହୋଇଗଲା । ଗାଡ଼ିର ବେଗ ବଢ଼ିବାକୁ ଆରମ୍ଭ କଲାଣି ସେତେବେଳକୁ । ବୃଦ୍ଧ ଭଦ୍ରବ୍ୟକ୍ତି ଜଣକ ଅନ୍ୟ ଉପାୟ ନଦେଖି ଯୁବତୀଟିର ହାତଧରି ଗୋଟାଏ ଝିଙ୍କାରେ ଉଠାଇନେଲେ ଉପରକୁ । “ବଡ଼ ଦୁଃସାହସ ତ ତୁମର ?” ଶାସନ ଭଙ୍ଗୀରେ ଏତକ କହି ବୃଦ୍ଧ ଚାହିଁ ରହିଲେ ଯୁବତୀଟି ଆଡ଼େ ।

 

‘‘ମାଫ୍‍ କରିବେ, ସାମାନ୍ୟ ବିଳମ୍ବ ଯୋଗୁ ଏପରି ହେବାକୁ ପଡ଼ିଲା ।’’ ନିତାନ୍ତ ଅପରାଧିନୀଙ୍କ ପରି ଏତକ କହି ଯୁବତୀଟି ଅଧୋବଦନରେ ଛିଡ଼ାହେଲା । “ଠିକ୍‌ ଅଛି, ଠିକ୍‌ ଅଛି, ତୁମେ ସେଇଠି ବସ” କହି ଗୋଟାଏ ଆସନ ଗ୍ରହଣ କଲେ । ଯୁବତୀଟି ମଧ୍ୟ ଏଣିକି ତେଣିକି ଚାହିଁ ଗୋଟାଏ କଡ଼କୁ ଆସନରେ ବସିଲେ ।

 

ଯୁବତୀଟି ଅତି ଆଧୁନିକା ଭଳି ଜଣାଯାଉଥାନ୍ତି ବେଶଭୂଷାରୁ । ହାତରେ ପଟେ ପଟେ ଚୁଡ଼ି ଆଉ କାନର କାନଫୁଲ ଦିଓଟି ଆଧୁନିକ ରୁଚିରେ ତିଆରି । ଟ୍ରେନ୍‌ ଝଡ଼ ବେଗରେ ଚାଲିଥାଏ-। ଛୋଟ ଛୋଟ ଷ୍ଟେସନରେ ବତୀଗୁଡ଼ିକ ବିଜୁଳି ମାରିଲାପରି ଦେଖାଯାଉଥାଏ ଗାଡ଼ି ଭିତରକୁ । ବୃଦ୍ଧ ନୀରବତା ଭଙ୍ଗ କରି ପ୍ରଶ୍ନ କଲେ “ଯିବ କେଉଁଯାକେ ?”

 

“ଏଇ ଆଗ ଷ୍ଟପେଜ୍‌” ସଂକ୍ଷେପରେ ଏତକ ଉତ୍ତର ଦେଇ ଯୁବତୀ ଜଣକ ମୁହଁ ଫେରାଇଲେ ଅନ୍ୟଆଡ଼େ । ଭଦ୍ରବ୍ୟକ୍ତି ମଧ୍ୟ ଶିଷ୍ଟତା ଦୃଷ୍ଟିରୁ ଆଉ ଅଧିକ କିଛି ପଚାରିବା ଉଚିତ ମନେକଲେ ନାହିଁ ।

 

ଆଗ ଷ୍ଟପେଜ୍‍ଟା ରତନଗଡ଼ । ବୃଦ୍ଧଙ୍କର ଅଭିପ୍ରେତ ସ୍ଥାନ ସେଇଠି । ଷ୍ଟପେଜ୍‌ ଷ୍ଟେସନଟା ଆଉ ଅଧିକ ବାଟ ନାହିଁ ବୋଧହୁଏ । ଟ୍ରେନ୍‌ର ଗତି ମନ୍ଥର ହୋଇଆସୁଛି କ୍ରମେ । ଯୁବତୀଟି ଏବେ ସଳଖି ବସିଲା ଭଦ୍ରଲୋକଙ୍କ ଆଡ଼କୁ ମୁହଁକରି । ତା’ପରେ ଆପଣାର ଭ୍ୟାନିଟିବେଗ୍‌ଟି ଖୋଲି ପ୍ଳାଷ୍ଟିକ୍ ଡବାଟିଏ ବାହାର କଲା । ଖୁବ୍‌ ସାବଧାନତା ସହିତ ସେ ଡବାଟା ଖୋଲିଦେଲା । ‘ଫସ୍’ କରି ଶବ୍ଦ ହେବା ସଙ୍ଗେ ସଙ୍ଗେ ଗାଡ଼ି ନାଲି ରଙ୍ଗର ଧୂଆଁଗୁଡ଼ାଏ ଭରିଗଲା ସେ ଡବାଟି ସାରା । ଘଟଣା ସମ୍ବନ୍ଧରେ କିଛି ବୁଝିବା ପୂର୍ବରୁ ବୃଦ୍ଧ ଆଉ ଯୁବକ ଦୁଇଜଣ ଟଳିପଡ଼ିଲେ ସେଇ ବେଞ୍ଚ ଉପରେ ।

 

ଖିଲି ଖିଲି ହସିଉଠି ଯୁବତୀଟି କହିଲା- ‘‘ଏଥର ରତନଗଡ଼ର ଗନ୍ତାଘର ରକ୍ଷା କରୁଥାନ୍ତୁ ବସି ମି: ଚୌଧୁରୀ । ଆରାମରେ ଶୋଇଯାନ୍ତୁ ଦଶ ବାର ଘଣ୍ଟା । ପରେ ପୁଣି ସାକ୍ଷାତ ହେବ ।’’

 

ମେଲ ଟ୍ରେନ୍‌ ବିକଟ ଶବ୍ଦ କରି ଛିଡ଼ା ହୋଇଗଲା ରତନଗଡ଼ ଷ୍ଟେସନର ପ୍ଳାଟ୍‌ଫର୍ମ ଉପରେ । ତରୁଣୀଟି ସେହିପରି ହସୁହସୁ ଓହ୍ଲାଇପଡ଼ିଲା ପ୍ଳାଟ୍‌ଫର୍ମ ଉପରେ ।

 

ବାହାରେ କଳାରଙ୍ଗର ଭ୍ୟାନ୍‌ଟିଏ ଠିଆ ହୋଇଥିଲା । ଭିତରଟା ଥିଲା ତାର ଘୋର ଅନ୍ଧକାର । କାହାରିକୁ କିଛି ନପଚାରି ଯୁବତୀଟି ଖୁବ୍‌ ପରିଚିତା ପରି ଭ୍ୟାନ୍‌ର ଦରଜା ଖୋଲି ଭିତରକୁ ପଶି ପୁଣି ଦରଜା ବନ୍ଦ କରିଦେଲା ।

 

ସଙ୍ଗେ ସଙ୍ଗେ ଭ୍ୟାନ୍‌ଟି ଛୁଟି ଚାଲିଲା କେଉଁ ଅଜ୍ଞାତ ସ୍ଥାନ ଉଦ୍ଦେଶ୍ୟରେ ।

 

ରାତି ଦୁଇଟା ହେବ । ଡିସେମ୍ବର ମାସର ଶେଷାଶେଷି ଶୀତ ରାତି । କିଏ କୁଆଡ଼େ ଗଭୀର ନିଦ୍ରାମଗ୍ନ । ରତନଗଡ଼ ରାଜପୁରୀର ପ୍ରଧାନ ଦ୍ୱାର ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ପ୍ରହରୀମାନେ ସୁପ୍ତ । ପ୍ରଧାନ ଦ୍ୱାରର ଗୋଟାଏ ଉଜ୍ଜ୍ୱଳ ଆଲୋକ ତଳେ ଦୁଇଜଣ ପ୍ରହରୀ କେବଳ ଜୋତାର ମଚ୍‌ମଚ୍‌ ଅବାଜ କରି ପହରା ଦେବାରେ ବ୍ୟସ୍ତ । ବାହାରେ ସବୁ ଶୂନ୍‌ଶାନ୍‌, କେବଳ ପତ୍ର ଉପରେ କାକର ଟୋପା ପଡ଼ିବାର ଟପ୍‌ ଟପ୍‌ ଶବ୍ଦ ଛଡ଼ା ଆଉ କିଛି ଶୁଣାଯାଉ ନଥାଏ ।

 

ଠିକ୍‌ ଏତିକିବେଳେ ଗୋଟାଏ ମଟର ଆସିବାର ଶବ୍ଦ ଶୁଣାଗଲା ଦୂରରୁ । ପ୍ରହରୀ ଦୁଇଜଣ ଉତ୍ସୁକ ହୋଇ କାନ ଡେରିଲେ ସେଇଆଡ଼େ । ଆସ୍ତେ ଆସ୍ତେ ଶବ୍ଦ ବେଶ୍‌ ପରିଷ୍କାର ଶୁଣାଗଲା । ପ୍ରହରୀ ଦୁହେଁ ଅନୁମାନ କଲେ- କାର୍‌ ବା ଭ୍ୟାନ୍‌ଟାଏ ପ୍ରାସାଦଆଡ଼କୁ ଆସୁଛି ବୋଧହୁଏ ।

 

ଅଳ୍ପ କେତେ ସେକେଣ୍ଡ ମଧ୍ୟରେ କଳାରଙ୍ଗର ଭ୍ୟାନ୍‍ଟାଏ ଖୁବ୍‌ ବେଗରେ ବ୍ରେକ୍‌ କଲା ପ୍ରାସାଦର ପ୍ରଧାନ ଦ୍ୱାର ସାମ୍‍ନାରେ । ପ୍ରହରୀ ଦୁଇଜଣଙ୍କର କିଛି ବୁଝିବା ପୂର୍ବରୁ ଯୋଡ଼ିଏ ବୁଲେଟ୍‌ ଧରାଶାୟୀ କରିଥିଲା ଦୁହିଁଙ୍କୁ; ସାମାନ୍ୟ ଚିତ୍କାର କରିବାର ଅବସର ନଥିଲା ସୁଦ୍ଧା ଦୁହିଁଙ୍କର-। ସାଇଲେନ୍‌ସର ଲଗା ରିଭଲଭର୍‌ର ଫାୟାରିଂ ଶବ୍ଦ ଟିକେହେଲେ ହେଲାନି ।

 

ପ୍ରହରୀ ଦୁଇଜଣଙ୍କ ଦେହ ଭୂତଳ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ଭ୍ୟାନ୍‌ ଭିତରୁ ଓହ୍ଲାଇପଡ଼ିଲେ ପାଞ୍ଚଜଣ କଳା ପୋଷାକଧାରୀ ମନୁଷ୍ୟ । ମୁହଁରେ ଥିଲା ସେମାନଙ୍କର କଳା କନାର ମୁଖୋସ୍‌ । ସେମାନଙ୍କ ମଧ୍ୟରୁ ଜଣକର ରିଭଲଭର ଗୁଳିରେ ଉଜ୍ଜ୍ୱଳ ବିଦ୍ୟୁତ୍‌ ଆଲୋକର ବଲ୍‌ବ୍‌ଟି ଚୂର୍ଣ୍ଣ ବିଚୂର୍ଣ୍ଣ ହେଲା । ନିଘୋଡ଼ ଅନ୍ଧକାର ଭିତରେ କଳା ପୋଷାକଧାରୀ ଦସ୍ୟୁ କେତେଜଣଙ୍କ ପକ୍ଷରେ ଦରଜାଟା ଖୋଲିଦେବା କଷ୍ଟକର ହେଲା ନାହିଁ । ଅଳ୍ପସମୟ ମଧ୍ୟରେ ବଡ଼ ବଡ଼ ଲୁହା ବାକ୍‌ସ ଚାରିଟା ଲଦାହେଲା ଆସି ଭ୍ୟାନ୍‌ରେ । ତା’ପରେ ଭ୍ୟାନ୍‍ଟା ଛୁଟିଚାଲିଲା ଆଗକୁ, ପୂରା ସ୍ପିଡ଼୍‍ରେ ।

 

ସୂଚୀଭେଦ୍ୟ ଅନ୍ଧକାର ଭିତରେ ରତନଗଡ଼ର ରାଜପ୍ରାସାଦ ଉପରେ କି ବିରାଟ ଝଞ୍ଜା‌ ବହିଗଲା, ତାର ସତ୍ତା କେହି ସୁଦ୍ଧା ଜାଣିପାରିଲେ ନାହିଁ ।

 

ଟ୍ରେନ୍‌ର ଗୁରୁ ଗମ୍ଭୀର ହୁଇସିଲ ଗର୍ଜନରେ ଚମକିପଡ଼ିଲେ ଛଦ୍ମବେଶୀ ମି: ଚୌଧୁରୀ । ଚଟ୍‌ କରି ହାତ ଘଡ଼ିଟା ଉପରେ ନଜର ପଡ଼ିଗଲା ତାଙ୍କର । ସକାଳ ସାତଟା ହେଲାଣି ସେତବେଳକୁ । ପୂର୍ବ ରାତିର ସବୁ ଘଟଣା ଗୋଟି ଗୋଟି ମନେପଡ଼ିଗଲା ତାଙ୍କର । ବଡ଼ ଲଜ୍ଜିତ ହୋଇଗଲେ ମି: ଚୌଧୁରୀ । ସେପର୍ଯ୍ୟନ୍ତ ବିଷାକ୍ତ ବାଷ୍ପର ପ୍ରଭାବ ଯାଇନଥିଲା ତାଙ୍କ ମୁଣ୍ଡରୁ । ମୁଣ୍ଡଟା ଝିମିଝିମି ହେଉଥାଏ । ତାଙ୍କ ପ୍ରିୟ ସହକାରୀ ଶରତ୍‌ର ସଂଜ୍ଞା ଆସିନଥାଏ ସେଯାଏ । ଗତ ରାତିରେ କେତେ ଭୟାବହ ଘଟଣା ଯେ ଘଟିଥିବ ରତନଗଡ଼ ରାଜପୁରୀରେ, ତାହା ମନେମନେ କଳ୍ପନା କରୁଥିଲେ ସେ । ପ୍ରତି ମୁହୂର୍ତ୍ତରେ ରତନଗଡ଼ର ଖବରଟା ଜାଣିବାକୁ ମନଟା ଉଦ୍‌ବିଘ୍ନ ହୋଇଉଠୁଥିଲା ତାଙ୍କର ।

 

ଆଉ ଉପାୟ ନାହିଁ । ଦରଜା ଖୋଲି ବାଥ୍‌ରୁମ୍‌ରେ ପଶି ଆଞ୍ଜୁଳା ଆଞ୍ଜୁଳା କରି ପାଣି ଆଣି ଛିଞ୍ଚିଲେ ନିଜ ସହକାରୀ ମୁହଁରେ । ସାମାନ୍ୟ ପ୍ରାଥମିକ ଚିକିତ୍ସା ପରେ ସଂଜ୍ଞାଲାଭ କଲେ ଶରତ୍‌ । ଉଭୟେ ଉଭୟଙ୍କ ମୁହଁକୁ ଚାହିଁ ରହିଲେ ପ୍ରଶ୍ନବାଚକ ଦୃଷ୍ଟିରେ । କିଏ ବା କି ଉତ୍ତର ଦେବ-? ଉଭୟେ ତ ପରାସ୍ତ ଆଉ ଲଜ୍ଜିତ । ବର୍ତ୍ତମାନ ମଧ୍ୟ ଗାଡ଼ିରୁ ଓହ୍ଲାଇ ପଡ଼ିବାର ଉପାୟ ନାହିଁ । ପର ଷ୍ଟପେଜ୍‌ରେ ଗାଡ଼ି ଅଟକୁ ଅଟକୁ ଅତି କମ୍‍ରେ ଅଧଘଣ୍ଟାଏ । ରତନଗଡ଼ ରହିଲାଣି କାହିଁ କେତେ ପଛରେ । ଦୁଇଶହ କି ତହିଁରୁ ଅଧିକ ମାଇଲ ଦୂରରେ ।

 

ଯାହାହେଉ; ସେଟା କି ଷ୍ଟେସନ କେଜାଣି ଗାଡ଼ି ରହିଲା । ମୁହୂର୍ତ୍ତେ ମାତ୍ର ବିଳମ୍ବ ନକରି ମି: ଚୌଧୁରୀ ସିଧା ସିଧା ରେଲୱେ ପୋଲିସ୍‌ ଷ୍ଟେସନରୁ ପଚାରିବସିଲେ ରତନଗଡ଼ର ଖବର । ଉତ୍ତରରେ ଟିକିନିଖି ଖବର ସେ ପାଇପାରିଲେ ରତନଗଡ଼ର ପୋଲିସ ଏସ୍‌: ପି: ଙ୍କଠାରୁ ।

 

ସେହି ମୁହୂର୍ତ୍ତରେ ସମସ୍ତ ଘଟଣା ଜଣାଇ ସାଙ୍କେତିକ ଭାଷାରେ ଗୋଟାଏ ଟେଲିଗ୍ରାମ କରିଦେଲେ ପୋଲିସ୍‌ କମିଶନର, ଆଇ. ଜି ଏବଂ ପୋଲିସ ଏସ୍‌: ପି:ଙ୍କ ନିକଟକୁ । ତାର ଉତ୍ତରକୁ ଅପେକ୍ଷା ନକରି ସଙ୍ଗେ ସଙ୍ଗେ ଗୋଟାଏ ଟ୍ୟାକ୍‌ସି ରିଜର୍ଭ କରି ଚାଲିଲେ ସେଠାରୁ ତିନି ଚାରି ମାଇଲ ଦୂରରେ ଥିବା ଏରୋଡ୍ରମ୍‌କୁ ।

 

ଓଡ଼ିଶାଗାମୀ ଗୋଟାଏ ଏରୋପ୍ଳେନ୍‌ ଦୈବାତ୍‌ ପ୍ରସ୍ତୁତ ହେଉଥିଲା ଯିବାପାଇଁ । ସଂକ୍ଷେପରେ ସମସ୍ତ ଘଟଣା ଜଣାଇ କର୍ତ୍ତୃପକ୍ଷଙ୍କ ନିକଟରୁ ଯୋଡ଼ିଏ ଆସନ ପାଇଁ ସେ ଅନୁମତି ପାଇଗଲେ ।

 

ଅଳ୍ପ ସମୟ ମଧ୍ୟରେ ଏରୋପ୍ଳେନ ଘର୍‌ ଘର୍‌ କରି ପଙ୍ଖା ଗୁଡ଼ାଏ ଘୂରାଇ ଛୁଟିଚାଲିଲା ଆକାଶ ମାର୍ଗରେ । ସ୍ୱସ୍ତିର ଆଭାସ ଟିକେ ଫୁଟିଉଠିଲା ମି: ଚୌଧୁରୀଙ୍କ ମୁହଁରେ ।

 

-ସାତ-

ଏରୋଡ୍ରମ୍‌ରେ ଅପେକ୍ଷା କରି ରହିଥିଲେ ଉଚ୍ଚପଦସ୍ଥ ପୋଲିସ ଅଫିସର କେତେଜଣ । ଆକାଶରେ ଉଡ଼ାଜାହାଜଟା ଓହ୍ଲାଇବା ପାଇଁ ଚକର ମାରି ଉଡ଼ି ବୁଲୁଥିଲା । ଅଳ୍ପ କେତେ ମିନିଟରେ ଭୂମି ସ୍ପର୍ଶ କଲା ଏରୋପ୍ଳେନ୍‌ । ଥୋଡ଼ାଏ ବାଟ ଦଉଡ଼ି ଦଉଡ଼ି ଯାଇ ଠିଆହେଲା ଗୋଟାଏ ସ୍ଥାନରେ । ମିଁ ଚୌଧୁରୀ ଆଉ ଶରତ୍‌ ବାହାରିଆସିଲେ ତା’ ଭିତରୁ ଚାରିଆଡ଼କୁ ଚାହିଁ । ପୋଲିସ ଅଫିସର କେତେଜଣଙ୍କ ଘେରଉ ଭିତରେ ସେ ବାହାରକୁ ଆସି ବସିଲେ ଗୋଟିଏ କାର୍‌ରେ । କାର୍‌ ଛୁଟି ଚାଲିଲା ପୋଲିସ ହେଡ୍‌କ୍ୱାଟର୍ସ ଅଭିମୁଖେ । ତାଙ୍କର ଆଗମନ ବ୍ୟବସ୍ଥା ଏଡ଼େ ଗୋପନରେ ହୋଇଗଲା ଯେ ତାହା କେହି ଜାଣିପାରିଲେ ନାହିଁ ।

 

ପୋଲିସ୍‌ ହେଡ଼୍‍ କ୍ୱାଟର୍ସରେ ତୁଙ୍ଗ ପୋଲିସ ଅଫିସରମାନଙ୍କର ଗୁପ୍ତ ମନ୍ତ୍ରଣା ଚାଲିଥିଲା-। ମି: ଚୌଧୁରୀ ସେମାନଙ୍କୁ ଗୋଟି ଗୋଟି କରି ସମସ୍ତ ବିଷୟରେ ବୁଝାଇ ଦେଇଥିଲେ-। ସେମାନଙ୍କ ମୁହଁରେ ଆଶ୍ଚର୍ଯ୍ୟର ଭାବ ଫୁଟିଉଠୁଥିଲା ମି: ଚୌଧୁରୀଙ୍କର କଥା ଶୁଣି-

 

ମି: ଚୌଧୁରୀଙ୍କର ପହଞ୍ଚିବାର ପ୍ରାୟ ଘଣ୍ଟାକ ପରେ କଳାରଙ୍ଗର ଭ୍ୟାନ୍‌ଟାଏ ଆସି ପହଞ୍ଚିଲା ସି’ ହୋଟେଲ ଫାଟକ ସାମନାରେ । ତାଭିତରୁ ଓହ୍ଲାଇଆସିଲେ ପତିତ ବାବୁ ଆଉ ଆଲିମୁଦ୍ଦିନ । ଗଲାକାଲିଠାରୁ ପତିତବାବୁ ଯାଇଥିଲେ ସୁକାନ୍ତ ବାବୁଙ୍କ ଜମିଦାରୀ ଖବର ବୁଝିବାକୁ-। ସଙ୍ଗରେ ଆଲିମୁଦ୍ଦିନ୍‌ ମଧ୍ୟ ଯାଇଥିଲା । ସେମାନଙ୍କ ଫେରିବା ଦେଖି ଚାକର, ପୂଝାରୀମାନେ ରୁଣ୍ଡ ହୋଇଗଲେ ବାରଣ୍ଡାରେ । ପତିତ ବାବୁଙ୍କ ଆଦେଶ କ୍ରମେ ଆଲିମୁଦ୍ଦିନ ସହ ଆଉ କେତେଜଣ ଚାକର ବଡ଼ ବଡ଼ ବାକ୍‌ସ କେତୁଟାକୁ ଟେକି ନେଇଗଲେ ଭିତରକୁ । ହୋଟେଲକୁ ପ୍ରାୟ ମଧ୍ୟେ ମଧ୍ୟେ ଏପରି ବଡ଼ ବଡ଼ ବାକ୍‌ସ ଆସେ । ସେଥିରେ ବିଲାତି ପାନୀୟର ବୋତଲ ଭରିଥାଏ । ଏଗୁଡ଼ିକ ତାହାହିଁ ହୋଇଥିବ ଭାବି କେହି କିଛି ସନ୍ଦେହ ମଧ୍ୟ କରିପାରିଲେ ନାହିଁ ।

 

ପତିତ ବାବୁ ନିଜ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାକ୍‌ସଗୁଡ଼ିକ ଗୋଦାମଘରେ ସାଇତି ରଖି ଖୁବ୍‌ ଭଲ ଭାବରେ ତାଲାଟା ପରୀକ୍ଷା କରି ନେଇ କଞ୍ଚି କାଠିଟାକୁ ପାଖରେ ରଖିଲେ ।

 

ସେଦିନ ରାତି ଦଶଟା ବାଜିବା ସଙ୍ଗେ ସଙ୍ଗେ ହୋଟେଲ ବନ୍ଦ କରିଦିଆଗଲା । ବେଳାବେଳି ଛୁଟି ମିଳିଯିବାରୁ ଚାକର ପୂଝାରୀମାନେ ଲମ୍ବ ଲମ୍ବ ବିଛଣା ପକାଇ ପଡ଼ିଗଲେ । ସହଜେ ତ ଭୂତର ଭୟ ସମସ୍ତଙ୍କ ମନରେ ଚମକ ଭରିଦେଇଛି । ସେଇ ଭୟରେ ରତନଗଡ଼ର ରାଜକୁମାର ଅନ୍ୟତ୍ର କେଉଁଠି ରହିଛନ୍ତି । ତା’ ସାଙ୍ଗକୁ ଶୀତ ଦିନର ରାତି । ସବୁ ରକମ ସୁଯୋଗର ଯୋଗାଯୋଗ ଘଟିଥିଲା ଯେମିତି । ସେମାନେ ଭଲ ରକମ କବାଟ ନିବୁଜ କରିଦେଇ ନିଜ ନିଜର ବିଛଣା ଧରିନେଲେ ।

 

ଏଣେ ରାତି ନଅଟା ବେଳୁ ମି: ଚୌଧୁରୀଙ୍କ ନେତୃତ୍ୱରେ ସୁଶିକ୍ଷିତ, ସଶସ୍ତ୍ର ପୋଲିସବାହିନୀଟିଏ ଲୋକଲୋଚନ ଅନ୍ତରାଳରେ ରହିବାପାଇଁ ଲୁଚି ରହିଥିଲା ସମୁଦ୍ର ପନ୍ତାରର ବାଲିକୁଦ ପଛରେ । ତୀକ୍ଷ୍‌ଣ ଦୃଷ୍ଟିରେ ମି: ଚୌଧୁରୀ ଲକ୍ଷ୍ୟ କରୁଥିଲେ ହୋଟେଲ କର୍ମଚାରୀମାନଙ୍କ ଗତିବିଧି ।      

 

ରାତି ଗୋଟାଏ ହେବ । ଖୁବ୍‌ ଧୀରେ ଧୀରେ ଅନ୍ଧାରେ ଅନ୍ଧାରେ ମି: ଚୌଧୁରୀ ଆଗଇଗଲେ ହୋଟେଲ ପଛପଟକୁ। ତାଙ୍କ ପଛେ ପଛେ ସହକାରୀ ଶରତ୍‌ । ହୋଟେଲ ପଛପଟଟା ନିହାତି ଅନ୍ଧାର ଆଉ ଆବର୍ଜନା ପୂର୍ଣ୍ଣ । ପଛପଟ ଦରଜାରେ ହାତମାରି ଦେଖିଲେ ସେମାନେ, ସେଟା ଖୁବ୍ ଦୃଢ଼ଭାବରେ ବନ୍ଦ । ମି: ଚୌଧୁରୀ ବଡ଼ ଚିନ୍ତିତ ହୋଇପଡ଼ିଲେ । ବର୍ତ୍ତମାନ ଉପାୟ କଣ ? ହଠାତ୍‌ ତାଙ୍କୁ ଗୋଟାଏ ବୁଦ୍ଧି ଦେଖାଗଲା । ଆଗରେ କାନ୍ଥ ଦେହରେ ଲାଗି ଦୋମହଲାକୁ ଯାଇଛି ପାଣି ପାଇପ୍‌ଟା ଦୋହମଲାର ବାଥ୍‌ ରୁମ୍‌କୁ । ଅତି ନିମ୍ନ ସ୍ୱରରେ ତାଙ୍କ ସହକାରୀ ଶରତ ସହିତ କେତେପଦ କଥାବାର୍ତ୍ତା ହୋଇ ସେ ଆଗେଇ ଗଲେ ପାଣି ପାଇପ୍ ନିକଟକୁ । ତାପରେ ଠିକ୍‌ ଗୋଟାଏ ବଣ ବିରାଡ଼ି ପରି ସେଇ ପାଇପ୍ ସାହାଯ୍ୟରେ ଉଠିବାକୁ ଲାଗିଲେ ଉପରକୁ । ତଳେ ଉଦ୍ୟତ ରିଭଲଭର ହସ୍ତରେ ଚାରିଆଡ଼କୁ ସତର୍କ ଦୃଷ୍ଟି ପକାଇ ଜଗି ରହିଥାନ୍ତି ଶରତ୍‌ ।

 

ପ୍ରାୟ ପାଞ୍ଚମିନିଟ୍‌ ପରେ ଶକ୍ତ ରସିଟାଏ ଝୁଲିଆସିଲା ଦୋମହଲା ଉପରକୁ । ତଳେ ପୋଲିସ୍‌ବାହିନୀକୁ କେତେଥର ଆଲୋକ ସଙ୍କେତରେ ନିଜ ମନୋଭାବ ବୁଝାଇ ଶରତ୍‌ ସେଇ ରସିକୁ ଧରି ଉଠିଗଲେ ଉପରକୁ । ‘ଖୁବ୍‌ ଆସ୍ତେ’- ଶରତ୍‌ର ବାହା ଟିପିଦେଇ କହିଲେ ମି: ଚୌଧୁରୀ । ଉପର ମହଲାଟା ଥିଲା ପୂରାପୂରି ନିର୍ଜନ । ପାଖରେ ଗୋଟାଏ ରୁମ୍‌, ସେଠାରେ ସୁକାନ୍ତବାବୁ ରହନ୍ତି । ମି: ଚୌଧୁରୀ ଖୁବ୍‌ ସତର୍କତାର ସହିତ ସେ ରୁମ୍‌ର ଦରଜା ନିକଟରେ କାନ ପାତିଲେ, ଭିତରୁ କିଛି ଶବ୍ଦ ନାହିଁ । ଲୋକ ଜଣେ ଶୋଇଥିଲେ ଅନ୍ତତଃ ତାର ନିଶ୍ୱାସ ପ୍ରଶ୍ୱାସର ଶବ୍ଦତ ହେଲେ ଜଣାଯାଆନ୍ତା ? କବାଟରେ ହାତମାରିଲେ ଯେ, ସେଟା ଖୋଲିଗଲା । ମି: ଚୌଧୁରୀ ସେ ଘର ଭିତରକୁ ଯାଇ ଆସ୍ତେ କବାଟ ଆଉଜାଇ ଦେଲେ । ଶରତ୍‌ ଜଗିରହିଲେ ବାହାରେ ।

 

କୋଠରୀଟା ଭିତରେ ପଶି ମି:ଚୌଧୁରୀ ଟର୍ଚ୍ଚ ପକାଇଲେ । ସମୁଦାୟ କୋଠରୀଟା ଆଲୋକିତ ହୋଇଉଠିଲା । ସେ ଦେଖିଲେ, ଗୋଟିଏ ଖଟ ଉପରେ ସୁନ୍ଦର ବିଛଣା ସଜାହୋଇଛି; କିନ୍ତୁ କେହି ଶୋଇନାହିଁ ସେଠି । କୋଠରୀଟା ଭିତରେ ଅନେକଗୁଡ଼ାଏ ଟ୍ରଙ୍କ । ସେଗୁଡ଼ାକ ଦେଖିବାର ସମୟ ବର୍ତ୍ତମାନ ନୁହେଁ ଭାବି ସେ ବିଛଣାଟା ପରୀକ୍ଷା କରି ଦେଖିଲେ । କିଛି ସମୟ ଆଗରୁ ସେଠି କିଏ ଜଣେ ନିଶ୍ଚୟ ଶୋଇଥିଲା । ତାପରେ ବିଛଣା ଚଦରଟା ଲୋଚାକୋଚା ହୋଇଥିବାରୁ ମଧ୍ୟ ପରିଷ୍କାର ଜଣାଗଲା ଯେ ଶୋଇଥିବା ଲୋକଟି ଉଠିଯାଇଛି।

 

ଶେଯ ଉପରୁ ପ୍ରକାଣ୍ଡ ତକିଆଟାକୁ ଟେକିଦେଲେ ସେ । ତାତଳେ ଚକ୍‌ ଚକ୍‌ କରିଉଠିଲା ରିଭଲଭର୍‌ । ସେଇଟିକୁ ହାତରେ ଉଠାଇନେଲେ ସେ । ପରୀକ୍ଷା କରି ଦେଖିଲେ ଛଅଟି ଗୁଳି ଜୀବନ୍ତ ଅଛି ସେଥିରେ । ଟିକିଏ ହସିଦେଇ ପକେଟ୍‌ରେ ପୂରାଇଲେ ସେଇଟିକୁ ।

 

କୋଠରୀର ଆଉ ଗୋଟାଏ ପଟକୁ ଆଲୋକ ପକାଇ ଦେଖିଲେ, ଗୋଟାଏ କଣରେ କ’ଣ ଗୁଡ଼ାଏ ଗଦା ହୋଇଛି । ସେପାଖକୁ ଯାଇ ଦେଖିଲେ । ଉଚ୍ଛୁଳା ହସ ଫୁଟିଉଠୁଥିଲା ତାଙ୍କ ମୁହଁରେ । କାଠରେ ହାତ ଗୋଡ଼ ଗୁଡ଼ା, ଏଇ ତେବେ ପ୍ରେତ ରୂପରେ ରାଜ କୁମାରଙ୍କ ହୀରାମୁଦି ହରଣଚାଳ କରିଛି । ଆଛା ! ସୁକାନ୍ତ ବାବୁ ତେବେ ପିତୁଳାନଚା ମଧ୍ୟ ଶିକ୍ଷା କରିଛନ୍ତି। ମନେମନେ ଏକଥା ଭାବି ସେ ବାହାରିଆସିଲେ ବାହାରକୁ । ଶରତ୍‌ ଅପେକ୍ଷା କରିଥିଲା ସେଇଠି । ଦୁହେଁଯାକ ଖୁବ୍‌ ସତର୍କତାସହ ଓହ୍ଳାଇଆସିଲେ ତଳ ମହଲାକୁ ।

 

ତଳ ମହଲାଟା ବୁଡ଼ି ରହିଥଲା ଘୋର ଅନ୍ଧକାର ଭିତରେ । ଖୁବ୍‌ ଧୀରେ ଧୀରେ ପ୍ରତିଟି କୋଠରୀ ପାଖରେ କାନ ପାଡ଼ୁଥାନ୍ତି ମି: ଚୌଧୁରୀ ଆଉ ଶରତ୍‌, କାଳେ କେଉଁଠୁ କିଛି ସନ୍ଧାନ ମିଳେ । ପ୍ରାୟ ପନ୍ଦର ମିନିଟ ଏଇମିତି ବିତିଗଲା । ହଠାତ୍‌ ଗୋଟାଏ ଘରର ଚାବି ଖୋଲିବାର ଶବ୍ଦ ଶୁଣାଗଲା । ମି: ଚୌଧୁରୀ କାନପାତିଲେ । ତାଙ୍କ ଥିବା ସ୍ଥାନଠାରୁ ଦୁଇ ତିନିଟା କୋଠରୀ ପରେ ଶବ୍ଦଟା ହେଉଛି ବୋଲି ସେ ଅନୁମାନ କରିନେଲେ ।

 

ତାପରେ ଦୁଇଜଣଯାଇ ସେ ଶବ୍ଦକୁ ଅନୁସରଣ କଲେ ଖୁବ୍‌ ସାବଧାନର ସହିତ । ପ୍ରାୟ ପନ୍ଦର ପାହୁଣ୍ଡ ଯାଇଛନ୍ତି, ଗୋଟାଏ କୋଠରୀ ଭିତରୁ ସାମାନ୍ୟ ଆଲୋକ ରେଖା ଦେଖାଗଲା । ସେଟା ପୁଣି ଖୁବ୍‌ ନିକଟରେ । ମି: ଚୌଧୁରୀ ଆଉ ତାଙ୍କର ସହକାରୀ ଦୁହେଁଯାକ ଗୋଟାଏ ଖୁଣ୍ଟ ଉହାଡ଼ରେ ଆତ୍ମଗୋପନ କରିନେଲେ । ସେଠାରୁ କୋଠରୀଟାର ଦ୍ୱାର ବେଶ୍‌ ପରିଷ୍କାର ଦେଖାଯାଉଥାଏ । ସେ ଦେଖିଲେ ଦୁଇଜଣ ଲୋକ ଗୋଟାଏ ବଡ଼ ଲୁହା ଟ୍ରଙ୍କ ଟେକି ଟେକି ବଡ଼ କଷ୍ଟରେ ନେଉଛନ୍ତି । ଟ୍ରଙ୍କଟାରେ କି ଜିନିଷ ରହିଥିବ, ତା ବେଶ୍‌ ଅନୁମାନ କରିନେଲେ ସେ ଦୁହେଁ-। ଶରତ୍‌କୁ ସେଠାରେ ରହିବାକୁ ଇଙ୍ଗିତ ଦେଇ ମି: ଚୌଧୁରୀ ଚାଲିଲେ ସେମାନଙ୍କ ପିଛାଧରି ।

 

ପ୍ରାୟ ଚାରିଛଅଟା କୋଠରୀ ପାରିହେଲା ପରେ ସେମାନେ ଗୋଟିଏ ଛୋଟ କୋଠରୀ ଭିତରେ ପଶିଗଲେ । ମି: ଚୌଧୁରୀ ପାଖରୁ ଲକ୍ଷ୍ୟକରି ଦେଖିଲେ- ତା ଭିତରେ ଆଲୁଅ ନାହିଁ, କି ମନୁଷ୍ୟଙ୍କର ସୋର ଶବ୍ଦ ମଧ୍ୟ ନାହିଁ । ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ତେବେ କ’ଣ ଲୋକ ଦୁଇଟା ଅଦୃଶ୍ୟ ହୋଇଗଲେ ନା କ’ଣ ?

 

ଠିକ୍ ଏହି ସମୟରେ ପୁଣି ସାମାନ୍ୟ ଖୁଡ଼୍‌ଖାଡ଼୍‌ ଶବ୍ଦ ଶୁଣାଗଲା । ମି: ଚୌଧୁରୀ କାନ୍ଥର ଗୋଟାଏ କଣକୁ ଟିକିଏ ଆଡ଼େଇ ଗଲେ । ଏଥର ଆଗନ୍ତୁକ ଜଣେ । ସେ ଚଟ୍‌କରି ଯେଉଁ କୋଠରୀରୁ ଟ୍ରଙ୍କଟା ନେଇଥିଲା ସେଇ କୋଠରୀର ଦ୍ୱାରରେ ତାଲାଟା ବନ୍ଦକରି ଫେରିଆସିଲା । ମି: ଚୌଧରୀ ଦେଖିଲେ ଏଇଟାହିଁ ସୁବର୍ଣ୍ଣ ସୁଯୋଗ । ସେ ସେଇ ଅନ୍ଧକାର ଭିତରେ ଟିକିଏ ଆଗେଇ ଗଲେ । ଲୋକଟା ଛୋଟ କୋଠରୀକୁ ଯେମିତି ପଶିଯିବାର ଉପକ୍ରମ କରିଛି ମି: ଚୌଧୁରୀ ସେଇ ସୁଯୋଗନେଇ ତାର ମୁଣ୍ଡରେ ଖୁବ୍‌ ଜୋର୍‌ରେ ମୁଷ୍ଠାଘାତ କଲେ । ଲୋକଟା ଚିତ୍କାର କରିବାକୁ ସୁଦ୍ଧା ସମୟ ପାଇଲା ନାହିଁ । ସଂଜ୍ଞାହୀନ ଦେହଟା ତାର ଭୂଇଁ ଉପରେ କଚାଡ଼ି ହୋଇ ପଡ଼ିବା ପୂର୍ବରୁ ମି: ଚୌଧୁରୀ ତାକୁ ତୋଳିନେଇ ଖୁବ୍‌ ଧୀରେ ଧୀରେ ଶୁଆଇ ଦେଲେ । ତା’ପରେ ଶରତ ଜିମାରେ ତାକୁ ଛାଡ଼ିଦେଇ ସେ ଛୋଟ କୋଠରୀ ଭିତରକୁ ପଶିଗଲେ ।

 

ଏଣେ ଶରତ୍ ରସି ସାହାଯ୍ୟରେ ଲୋକଟାର ହାତ, ଗୋଡ଼, ମୁହଁ ଭଲ ଭାବବରେ ବାନ୍ଧିଦେଇ ହୋଟେଲର ପଛ ପଟେ ଥିବା ଦ୍ୱାର ଖୋଲିଦେଲେ । ସେଠାରୁ ଠିଆହୋଇ ଆଲୋକ ସଂଙ୍କେତ କଲାମାତ୍ରେ ସଶସ୍ତ୍ର ପୋଲିସବାହିନୀ ନିଃଶବ୍ଦରେ ପ୍ରବେଶ କଲେ ହୋଟେଲ ଭିତରେ ।

 

ମି: ଚୌଧୁରୀ କୋଠରୀଟା ଭିତରେ ଟର୍ଚ୍ଚ ପକାଇ ଦେଖିଲେ ସେ ଘର ଖାଲି ମୁଣ୍ଡା କୋଇଲାରେ ଭର୍ତ୍ତି । ସେ ଅନୁମାନ କଲେ- ଏଇଟା ହୋଟେଲର ଜାଳେଣୀ ରଖିବା ସ୍ଥାନ । ତାହାହେଲେ ୟା ଭିତରେ ଆର ଲୋକଟି ଆଉ ଟ୍ରଙ୍କଟି ଗଲା କୁଆଡ଼େ ? ପୁଣିଥରେ କୋଠରୀଟାର ଚାରିପଟ ଭଲକରି ଆଲୁଅ ପକାଇ ଦେଖିଲେ ସେ । ଗୋଟାଏ କୋଇଲା ଗଦା ପଛ ପଟେ ଝାପ୍‌ସା ଝାପ୍‌ସା ହୋଇ ଛୋଟ ଦ୍ୱାରଟାଏ ଦିଶିଗଲା ତାଙ୍କୁ । ମନରେ କେତେ ଆଶାର ସଞ୍ଚାର ହେଲା ତାଙ୍କର । କିଛି ଭଲ ମନ୍ଦ ବିଚାର ନକରି ସେ ପଶିଗଲେ ତାରି ଭିତରେ।

 

-ଆଠ-

ମି: ଚୌଧୁରୀ ପ୍ରଥମେ ଅନୁମାନ କରିଥିଲେ- ଏଇ ଦରଜାଟା ସହିତ ହୁଏତ କୌଣସି ଗୁପ୍ତ କୋଠରୀର ଯୋଗାଯୋଗ ଥିବ । ମାତ୍ର ଏକ୍ଷେତ୍ରରେ ତାଙ୍କର ସେ ଧାରଣା ଯେ ନିତାନ୍ତ ଅମୂଳକ ତା ସେ ବେଶ୍‌ ଅନୁମାନ କରିପାରିଲେ । ସେ ଦେଖିଲେ ସେହି ଛୋଟ ଦରଜାଠାରୁ ପାହାଚଗୁଡ଼ା ଗୋଟାକ ପରେ ଗୋଟାଏ ଲମ୍ବି ଯାଇଛି ତଳକୁ । ଘୋର ଅନ୍ଧାର ହୋଇଛି ସୁଡ଼ଙ୍ଗ ଭିତରଟା । ମନଟା ତାଙ୍କର ଦବି ଆସିଲା ।

 

ପର ମୁହୂର୍ତ୍ତରେ ମନରେ ସାହସ ସଞ୍ଚୟ କରି ରିଭଲଭରଟା ବାଗେଇ ଧରି ଆଗେଇଲେ ସେ ସେଇ ସନ୍ତସନ୍ତିଆ ସୁଡ଼ଙ୍ଗ ଭିତର ଦେଇ । ଅଳ୍ପ କିଛି ବାଟ ଗଲାପରେ ସେ ବେଶ୍‌ ଗୋଟାଏ ପ୍ରଶସ୍ତ ଜାଗାରେ ପହଞ୍ଚିଗଲେ । ସୁଡ଼ଙ୍ଗର ଶେଷ ହୋଇଛି ସେଇଠି । ସେଇଠି କିଛି ସମୟ ଠିଆହୋଇ ଚାରିଆଡ଼କୁ ଭଲକରି ଚାହିଁ ଦେଖିଲେ ସେ । ଆଗରେ ସାମାନ୍ୟ ଆଲୋକରେଖା ଦେଖାଯାଉଛି । ସେଇ ଆଲୋକରେଖାକୁ ଲକ୍ଷ୍ୟକରି ପାଦ ବଢ଼ାଇଲେ ସେ ଆହୁରି ଆଗକୁ ।

 

ଖଣ୍ଡେବାଟ ଗଲାପରେ ସେ ଲକ୍ଷ୍ୟ କଲେ ଗୋଟାଏ କୋଠରୀ ଭିତରୁ ଏ ଆଲୋକ ରେଖା ଆସୁଛି । ପାଦ ଚିପି ଚିପି ସେ କୋଠରୀର ଦରଜା ନିକଟରେ ଛିଡ଼ାହେଲେ । ଦରଜା ଫାଙ୍କରେ ଚାହିଁ ଦେଖିଲେ ଜଣେ ଲୋକ ବସି ଟେବୁଲ ଉପରେ କଣ ଲେଖୁଛି । ଟେବୁଲ ଉପରେ ଥୁଆହୋଇଛି ମଦ ଆଉ ଗ୍ଳାସ । ଲୋକଟା ନିଶାରେ ଏକବାର ଅଜ୍ଞାନ । ମି: ଚୌଧୁରୀ ଭଲକରି ଲକ୍ଷ୍ୟ କଲେ ସେ ଝାପ୍‌ସା ଆଲୁଅ ଭିତରେ । ସେ ହୋଟେଲ ମାଲିକ ସୁକାନ୍ତବାବୁ ।

 

ବ୍ୟଙ୍ଗ ହସ ଟିକିଏ ଫୁଟିଉଠିଲା ତାଙ୍କ ମୁହଁରେ । ପିସ୍ତଲଟା ଆଗକୁ ବାଗେଇ ଧରି ଆସ୍ତେ ଆସ୍ତେ କବାଟଟିକୁ ଅଳ୍ପ ଖୋଲିଦେଲେ ସେ ।

 

‘‘ଆଉ ବେଶୀ ଚେଷ୍ଟା କରନା ବନ୍ଧୁ । ନହେଲେ ଗଣ୍ଡିରୁ ମୁଣ୍ଡଟା ଉଡ଼ାଇ ଦେବି । ଏଥର ପିସ୍ତଲଟା ପକାଇଦେଲ ଦେଖି ।’’ ପଛପଟରୁ କାହାର କଠୋର ଆଦେଶ, ତା ସଙ୍ଗେ ସଙ୍ଗେ ନିଜ ମୁଣ୍ଡ ପଛ ପାଖରେ ରିଭଲଭର ନଳିର ସ୍ପର୍ଶ ପାଇ ଚମକିପଡ଼ିଲେ ମି: ଚୌଧୁରୀ । ବର୍ତ୍ତମାନ ପରିସ୍ଥିତିରେ କଣ କରାଯାଇ ପାରେ କିଛି ସ୍ଥିର କରିପାରିଲେ ନାହିଁ ସେ ।

 

ଦରଜା ନିକଟରେ କଥାଶବ୍ଦ ଶୁଣିପାରି ଭିତରୁ ସୁକାନ୍ତ ବାବୁ ମଧ୍ୟ ଟଳମଳ ହୋଇଉଠି ଆସୁଥିଲେ ବାହାରକୁ ।

 

‘‘ଧନ୍ୟବାଦ ଗୋଏନ୍ଦା ସାହେବ । ଏଇଥର ବୋଧହୁଏ ଶେଷଥର ପାଇଁ ଆମର ସାକ୍ଷାତ । ତୁମେ.......?’’

 

ଲୋକଟା ଆଉ କଣ କହିଥାନ୍ତା, କିନ୍ତୁ ହଠାତ୍‌ ଡାହାଣ ହାତରେ ଭୀଷଣ ଆଘାତ ପାଇ ଚିତ୍କାର କରି ଘୁଞ୍ଚିଗଲା । ସେଇ ମୁହୂର୍ତ୍ତରେ ମି: ଚୌଧୁରୀ ବୁଲିପଡ଼ି ପିସ୍ତଲଟା ଛଡାଇନେଲେ ତା ହାତରୁ । ସୁକାନ୍ତ ବାବୁ ଡିଆଁଟା ମାରି ପଳାଇଯିବାକୁ ବସିଥିଲେ; କିନ୍ତୁ ଶରତର ରିଭଲଭର ନଳୀ ତାଙ୍କ ଛାତିକୁ ଲକ୍ଷ୍ୟକରି ଚାହିଁଥିଲା । ଏତିକିବେଳେ ପକେଟରୁ ହ୍ୱିସିଲ କାଢ଼ି ବଜାଇଲେ ମି: ଚୌଧୁରୀ । ସଙ୍ଗେ ସଙ୍ଗେ ଘନ ଘନ ହ୍ୱିସିଲ ଶବ୍ଦ ଶୁଣାଗଲା ବାହାରୁ । ସୁଡ଼ଙ୍ଗ ଭିତରଦେଇ ପୋଲିସବାହିନୀ ଘେରାଉ କରିନେଲେ ଦୁଇଜଣଙ୍କୁ । ସଙ୍ଗେ ସଙ୍ଗେ ଲୌହବଳୟ ପିନ୍ଧାଇ ଦିଆଗଲା ସୁକାନ୍ତ ବାବୁ ଆଉ ଆର ଲୋକଟି ହାତରେ ।

 

ବାହାରେ ଅପେକ୍ଷା କରିଥିଲେ ପୋଲିସ୍ କମିଶନର । ମି: ଚୌଧୁରୀ ଏ ତିନିଙ୍କ ହାତରେ ହାତକଡ଼ି ପିନ୍ଧାଇ ପୋଲିସ ଭ୍ୟାନ୍‌ରୁ ନେଲାବେଳେ ସେ ମି: ଚୌଧୁରୀଙ୍କ ସହିତ କରମର୍ଦ୍ଦନ କରୁ କରୁ ପଚାରିଲେ ‘‘ଏମାନେ ସବୁ କିଏ ?’’

 

ମି: ଚୌଧୁରୀ ଟିକିଏ ହସିଦେଇ କହିଲେ- ‘‘ଏ ହେଉଛନ୍ତି ସୁକାନ୍ତ ବାବୁ ଦସ୍ୟୁ ଦଳର ସର୍ଦ୍ଦାର । କଙ୍କାଳ ଅଭିନୟ କରିବାରେ ୟାଙ୍କର ବେଶ୍‌ ଦକ୍ଷତା ଅଛି । ଆଉ ଏ ହେଉଛନ୍ତି ପେଶବାରର ବିଖ୍ୟାତ ନରହନ୍ତା ଦସ୍ୟୁ ଆଲିବର୍ଦ୍ଦି ହୋସେନ୍‌, ଓରଫ ଆଲିମୁଦ୍ଦିନ୍‌ ଖାଁ, ଖାନସମା । ପ୍ରାୟ ଦୁଇବର୍ଷ ହେବ ଫେରାର ହୋଇ ଏଠି ଅଛନ୍ତି । ଏମାନଙ୍କ ବିରୁଦ୍ଧରେ ଅଜସ୍ର ପ୍ରମାଣ ଅଛି ।

 

ପୋଲିସ କମିଶନର ଧନ୍ୟବାଦ ଦେଇ ପୁଣିଥରେ କରମର୍ଦ୍ଦନ କଲେ ମି: ଚୌଧୁରୀଙ୍କ ସହିତ । ରତନଗଡ଼ରୁ ଲୁଣ୍ଠିତ ବହୁ ମୂଲ୍ୟବାନ୍‌ ହୀରା ଜହରତ ବାକ୍‌ସ ସହିତ ଦସ୍ୟୁ ତିନିହେଁ ଆଉ ତାଙ୍କ ଦଳର ସାହାଯ୍ୟକାରୀମାନେ ପୋଲିସ ଭ୍ୟାନରେ ଚାଲିଲେ ପୋଲିସ ଷ୍ଟେସନ ଅଭିମୁଖେ ।

---o---

 

ଏହାପରେ କଅଣ କଅଣ ଘଟିପାରେ ଚିନ୍ତା କରି ସ୍ଥିର କରନ୍ତୁ । ଆବଶ୍ୟକ

ହେଲେ ଲେଖକ ଆପଣଙ୍କ ଚିନ୍ତାକୁ ଗତିଶୀଳ କରିବାରେ ସାହାଯ୍ୟ କରିବେ ।